ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଭଲ ଖବର ଆସିଛି। ତାଙ୍କ ପାଇଁ ପୁରୁଣା ପେନ୍ସନ ଯଦିଓ ଲାଗୁ କରାଯାଇପାରିବ ନାହିଁ। ତଥାପି ନେସନାଲ ପେନ୍ସନ ସ୍କିମ୍ (ଏନ୍ପିଏସ୍)ରେ ସାମିଲ କର୍ମଚାରୀଙ୍କୁ ଅନ୍ତିମ ଦରମାର ୫୦ ପ୍ରତିଶତ ଭାବେ ମିଳିପାରେ। କେନ୍ଦ୍ରୀୟ କର୍ମଚାରୀ ପୁରୁଣା ପେନ୍ସନ୍ ଲାଗୁ କରିବା ନେଇ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏନ୍ପିଏସ୍କୁ ନେଇ ଚିନ୍ତା ଦୂର କରିବାକୁ ଚାହୁଁଛନ୍ତି।
ଏହି କାରଣରୁ ସରକାର ଏନ୍ପିଏସ୍ର ଅଂଶ ଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ତାଙ୍କର ଅନ୍ତିମ ଦରମାର ୫୦ ପ୍ରତିଶତ ଭାବେ ପ୍ରଦାନ କରିବା ପାଇଁ ଆଶ୍ବାସନା ଦେବାକୁ ଚାହାନ୍ତି। ଏଥିରେ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିଥିବା କର୍ମଚାରୀଙ୍କୁ ଭଲ ଫେରସ୍ତ ଦିଆଯାଇପାରିବ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ଅର୍ଥସଚିବ ଟି ଭି ସୋମନାଥନ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ପୁରୁଣା ପେନ୍ସନ ଯୋଜନାକୁ ପୁଣି ଥରେ ଫେରିବାକୁ ମନା କରିଦେଇଥିଲେ। କିନ୍ତୁ ଏଥିରେ କିଛି ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛନ୍ତି। ପୁରୁଣା ପେନ୍ସନ୍ରେ ଜୀବନବ୍ୟାପୀ ପେନ୍ସନ ଭାବେ ଅନ୍ତିମ ଦରମାର ଅଧା ଭାଭ ମିଳୁଥିଲା। ଏଥି ସହିତ ବେତନ କମିସନଙ୍କ ପ୍ରସ୍ତାବରେ ପେନ୍ସନ ମଧ୍ୟ ବଢୁଥିଲା। ଅନ୍ୟପଟରେ ଏହାର ଓଲଟା ଏନ୍ପିଏସ୍ କଣ୍ଟ୍ରିବ୍ୟୁଶନ ଯୋଜନା। ଏଥିରେ ସରକାରୀ କର୍ମଚାରୀ ନିଜର ଦରମାର ୧୦ ପ୍ରତିଶତ ଦେଇଥାଆନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ୧୪ ପ୍ରତିଶତ ଦିଆଯାଉଛି।