ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ଏହି ଦାବିକୁ ନେଇ ଦାଖଲ ଯାଚିକା ଉପରେ ଅଗଷ୍ଟ ୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ ଏହି ଯାଚିକାକୁ ପ୍ରଧାନ ବିଚାରପତି ବିଆର ଗବାଇଙ୍କ ଖଣ୍ଡପୀଠରେ ଉଠାଇଛନ୍ତି । ଆଉ ସିଜେଆଇ ଗବାଇ ତାଙ୍କ ଯାଚିକାକୁ ଗ୍ରହଣ କରିଛନ୍ତି । ଏହି ମାମଲା ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସଂଶ୍ଲିଷ୍ଟ ରହିଛି । ଏହି ଧାରା ଆଧାରରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମିଳିଥିଲା ।
ଏହି ଯାଚିକା ଉକ୍ତ ପୁରୁଣା କେସ ସହ ଜଡିତ ଯେଉଁଥିରେ ସୁପ୍ରିକୋର୍ଟ ୨୦୨୩ ଡିସେମ୍ବରରେ ନିଜର ଐତିହାସିକ ରାୟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବୈଧ୍ୟ ବୋଲି କହିଥିଲେ । ହେଲେ ଉକ୍ତ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଜମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ର ସାମ୍ବିଧାନିକ ବୈଧ୍ୟତା ଉପରେ କୌଣସି ଟିପ୍ପଣୀ କରି ନ ଥିଲେ । କାରଣ ସଲିସିଟର ଜେନେରାଲ କୋର୍ଟକୁ ଆଶ୍ୱାସନା ଦେଇଥିଲେ ଯେ, ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ମିଳିବ । କିନ୍ତୁ ଏହାକୁ ନେଇ କୌଣସି ସମୟ ସୀମା ଦେଇ ନ ଥିଲେ ।
ସଦ୍ୟତମ ଯାଚିକା କଲେଜ ଶିକ୍ଷକ ଜାହୁର ଅହମ୍ମଦ ଭଟ୍ଟ ଓ ସାମାଜିକ କର୍ମି ଖୁର୍ସିଦ ଅହମ୍ମଦ ମଲିକଙ୍କ ଦ୍ୱାରା ଦାୟର କରାଯାଇଛି । ଏହି ଯାଚିକା ଆଡଭୋକେଟ୍ ଅନ ରେକର୍ଡ ଇଜାଜ ମକବୁଲଙ୍କ ମାଧ୍ୟମରେ ଦାୟର କରାଯାଇଛି । ଆବେଦନକାରୀଙ୍କ କହିବା କଥା ସୁପ୍ରିମକୋର୍ଟରୁ ନିଷ୍ପତ୍ତି ଆସିବାର ପ୍ରାୟ ୧୧ ମାସ ବିତିଗଲାଣି । ହେଲେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ କୌଣସି ଠୋସ୍ ପଦକ୍ଷପେ ନେଇ ନାହାନ୍ତି । ପୁଣି ଉପତ୍ୟକାରେ ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ନିର୍ବାଚନ ସରିଛି ।
ଅନ୍ୟପଟେ ସୋମବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଚର୍ଚ୍ଚା ଜୋର ଧରିଛି ଯେ, କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଲଗା ଅଲଗା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ମଙ୍ଗଳବାର ସକାଳେ ଏନଡିଏ ସାଂସଦଙ୍କ ବୈଠକ ପରେ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ।