ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ କରଦାତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ, ମାର୍ଚ୍ଚ ୩୧ ସୁଦ୍ଧା ନାମମାତ୍ର ଶୁଳ୍କ ଦେଇ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରି ପାରିବେ । ଏହି ନିଷ୍ପତ୍ତିରେ କରଦାତାଙ୍କୁ ଫାଇଦା ମିଳିବ, ଯେଉଁମାନେ ରିଟର୍ଣ୍ଣ ଦାଖଲ ସମୟରେ ହୋଇଥିବା କୌଣସି ପ୍ରକାରର ତ୍ରୁଟିକୁ ସୁଧାରିବାକୁ ଚାହୁଁଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପର ଉଦ୍ଦେଶ୍ୟ କର ପୈଠ ସରଳ କରିବା ଏବଂ କରଦାତାଙ୍କ ଉପରେ ଅନାବଶ୍ୟକ ଦଣ୍ଡର ବୋଝ କମ କରିବା । ସରକାର ଆଶା ରଖିଛନ୍ତି ଯେ, ଏହି ସୁବିଧାରେ ଅଧିକ ଲୋକ ସ୍ୱଇଚ୍ଛାରେ ସଠିକ ସୂଚନା ସହ ଆୟକର ରିଟର୍ଣ୍ଣ ଦାଖଲ କରିବେ । ବଜେଟ୍ ୨୦୨୬-୨୭ରେ ଅର୍ଥମନ୍ତ୍ରୀ ଛୋଟ କରଦାତାଙ୍କ ପାଇଁ ନିୟମ- ଆଧାରିତ ଏବଂ ସ୍ୱଚାଳିତ ପ୍ରକ୍ରିୟା ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏଥିରେ ଟ୍ୟାକ୍ସ ସଂପର୍କିତ ପ୍ରକ୍ରିୟା ସରଳ ଏବଂ ପାରଦର୍ଶୀ ହୋଇ ପାରିବ ।
ନିଜର ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ମୋଟର ଦୁର୍ଘଟଣା କ୍ଲେମ ଟ୍ରିବ୍ୟୁନାଲ ଦ୍ୱାରା ଦିଆଯାଉଥିବା କ୍ଷତିପୂରଣକୁ ଟ୍ୟାକ୍ସ ମୁକ୍ତ କରିଛନ୍ତି । ଅର୍ଥାତ ଦୁର୍ଘଟଣାଜନିତ କ୍ଷତିପୂରଣରେ ଆଉ ଟ୍ୟାକ୍ସ ଲାଗିବ ନାହିଁ । ଏହି ନିଷ୍ପତ୍ତିରେ ସଡକ ଦୁର୍ଘଟଣା ପୀଡିତ ଓ ତାଙ୍କ ପରିଜନଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିବ ।
Also read: Budget 2026: ସେମି କଣ୍ଟକ୍ଟର, ରେୟାର ଅର୍ଥକୁ ନେଇ ବଡ ଘୋଷଣା, ଚୀନ ଉପରେ କମିବ ନିର୍ଭରତା