ଅଯୋଧ୍ୟା: ଚଳିତ ବର୍ଷ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ଦୀପାବଳି ପାଳନ କରାଯାଉଛି । ଗତ ଅନେକ ବର୍ଷ ଧରି ଅଯୋଧ୍ୟାର ଦୀପାବଳି ସମଗ୍ର ଦୁନିଆରେ ଖ୍ୟାତି ଅର୍ଜନ କରିଛି । ଆଉ ଏବେ ପୁଣି ଥରେ ଚର୍ଚ୍ଚାରେ ଦୀପାବଳି । ବୁଧବାର ଅଯୋଧ୍ୟାରେ ଦୀପୋତ୍ସବ ସମାରୋହ ସମୟରେ ଦୁଇଟି ନୂଆ ଗିନିଜ ବୁକ୍ ଅଫ ରେକର୍ଡ ସ୍ଥାପନ ହୋଇଛି ।
ଗୋଟିଏ ରେକର୍ଡ ହେଉଛି ସବୁଠୁ ଅଧିକ ଲୋକଙ୍କ ସହ ଦୀପ ଜଳାଇବା ଏବଂ ସବୁଠୁ ବଡ ତେଲର ଦୀପ ପ୍ରସ୍ତୁତ କରାଯିବା । ଏଥର ଦୀପାବଳିରେ ସରୟୁ ନଦୀ କୂଳରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି, ଯାହା ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହା ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟ ବିଭାଗ ଓ ଅଯୋଧ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟକ୍ରମ ସମୟରେ ଗିନିଜର ଅଧିକାରୀଙ୍କଠୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ।
ଅଷ୍ଟମ ଦୀପୋତ୍ସବ ଅବସରରେ ସରୟୁ ନଦୀ କୂଳରେ ୨୫ ଲକ୍ଷରୁ ଅଧିକ ମାଟିର ଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ସର୍ବାଧିକ ଦୀପ ଜଳାଇବାର ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି । ଅଧିକାରୀ କହିଛନ୍ତି, ସ୍ଥାନୀୟ କାରିଗରଙ୍କୁ ଦୀପ ତିଆରି ପାଇଁ ଅର୍ଡର ଦିଆଯାଇଥିଲା । ଯୋଗୀ ଆଦିତ୍ୟନାଥ ସମାରୋହର ନେତୃତ୍ୱ ନେବା ସହ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ପ୍ରଥମେ କିଛି ଦୀପ ଜଳାଇ ଦୀପୋତ୍ସବର ଶୁଭାରମ୍ଭ କରିଥିଲେ । ଏହି ସମୟରେ ଉତ୍ତର ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ ମଧ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷ ଜାନୁଆରୀ ୨୨ରେ ରାମ ଲଲା ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଥମ ଦୀପୋତ୍ସବ ।
ଏହି ଅବସରରେ ପୂରା ସହରକୁ ବେଶ ଆକର୍ଷଣର ସହ ସଜା ଯାଇଥିଲା । ରାମ ଧ୍ୱନୀରେ ପୂରା ପରିବେଶ ଗୁଞ୍ଜି ଉଠିଥିଲା । କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ରାମ ମନ୍ଦିର ପରିଦର୍ଶନ କରିବା ସହ ରାମଲଲାଙ୍କ ଦର୍ଶନ କରିଥିଲେ ।
ରାଜ୍ୟ ସରକାରଙ୍କ ଏହି ଦୀପୋତ୍ସବ ମାଧ୍ୟମରେ ଅଯୋଧ୍ୟାବାସୀ ଲଗାତାର ସପ୍ତମ ଥର ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ଥର ୨୦୧୭ରେ ୧.୭୧ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା । ସେଥର ବିଶ୍ୱ ରେକର୍ଡ ହୋଇ ପାରି ନ ଥିଲା । ଏହା ପରେ ୨୦୧୮ରେ ୩.୦୧ ଲକ୍ଷ, ୨୦୧୯ରେ ୪.୦୪ ଲକ୍ଷ, ୨୦୨୦ରେ ୬.୦୬ ଲକ୍ଷ, ୨୦୧୯ରେ ୯.୪୧ ଲକ୍ଷ, ୨୦୨୨ରେ ୧୫.୭୬ ଲକ୍ଷ, ୨୦୨୩ରେ ୨୨.୨୩ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇ ବର୍ଷ ପରେ ବର୍ଷ ରେକର୍ଡ ପ୍ରତିଷ୍ଠା ହୋଇଥିଲା । ଆଉ ଏଥର ୨୫.୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି ।