ଜୟପୁର: ଭାରତୀୟ ସୀମୀ ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ସୈନିକମାନଙ୍କୁ ଏବେ ଏକ ନୂତନ ୟୁନିଫର୍ମ ମିଳିବ। ନୂତନ ୟୁନିଫର୍ମରେ ୫୦ ପ୍ରତିଶତ ଖାକି, ୪୫ ପ୍ରତିଶତ ସବୁଜ ଏବଂ ୫ ପ୍ରତିଶତ ମାଟିଆ ରଙ୍ଗ ସାମିଲ ହେବ। ଏହି ସ୍ୱତନ୍ତ୍ର ମିଶ୍ରଣର ଉଦ୍ଦେଶ୍ୟ ହେଉଛି ସୀମାନ୍ତ ଅଞ୍ଚଳର ଭୌଗୋଳିକ ପରିସ୍ଥିତି ଅନୁସାରେ ସୈନିକମାନଙ୍କୁ ଉତ୍ତମ ଛଦ୍ମବେଶ ପ୍ରଦାନ କରିବା, ଯାହା ଦ୍ଵାରା ସେମାନେ ଶତ୍ରୁଙ୍କ ଆଖିରୁ ଲୁଚି ରହିପାରିବେ। ଏହି ୟୁନିଫର୍ମ ଅପରେସନ ସମୟରେ ସୈନିକମାନଙ୍କୁ ଅଧିକ ସୁରକ୍ଷା ମଧ୍ୟ ପ୍ରଦାନ କରିବ।
ରାଜସ୍ଥାନ ଫ୍ରଣ୍ଟିୟରର ଇନ୍ସପେକ୍ଟର ଜେନେରାଲ୍ ଏମଏଲ ଗର୍ଗ କହିଛନ୍ତି ଯେ ପୂର୍ବରୁ ବିଏସଏଫର ଯୁଦ୍ଧ ପୋଷାକ ୫୦ ପ୍ରତିଶତ କପା ଏବଂ ୫୦ ପ୍ରତିଶତ ପଲିଷ୍ଟରର ମିଶ୍ରଣ ଥିଲା। ଏବେ ନୂତନ ୟୁନିଫର୍ମରେ ୮୦ ପ୍ରତିଶତ କପା, ୧୯ ପ୍ରତିଶତ ପଲିଷ୍ଟର ଏବଂ ଏକ ପ୍ରତିଶତ ସ୍ପାଣ୍ଡେକ୍ସ ବ୍ୟବହାର କରାଯିବ। ଏହି ୟୁନିଫର୍ମ ହାଲୁକା, ନମନୀୟ ଏବଂ ଗରମ ପାଗ ପାଇଁ ଉପଯୁକ୍ତ ହେବ।
ନୂତନ ୟୁନିଫର୍ମରେ ଡିଜିଟାଲ୍ ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି, ଯାହା ଏହାକୁ ଆକର୍ଷଣୀୟ ଏବଂ ସ୍ଥାୟୀ କରିଥାଏ। ବିଏସଏଫ ଡିଆଇଜି ଯୋଗେନ୍ଦ୍ର ସିଂହ ରାଠୋର କହିଛନ୍ତି ଯେ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମଗ୍ର ବାହିନୀ ନୂତନ ୟୁନିଫର୍ମରେ ଦେଖାଯିବ। ଏହି ୟୁନିଫର୍ମ ସୈନିକମାନଙ୍କୁ ଦୀର୍ଘ ସମୟ ପାଇଁ କର୍ତ୍ତବ୍ୟରେ ଆରାମଦାୟକ ଏବଂ ଆତ୍ମବିଶ୍ୱାସୀ ରଖିବ, ବିଶେଷକରି ଗରମ ଏବଂ ଆର୍ଦ୍ର ଅଞ୍ଚଳରେ।
ଅଧିକ ପଢ଼ନ୍ତୁ: ୨ୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ାର ବିକାଶ କାର୍ଯ୍ୟରୁ ହେବ ଆରମ୍ଭ