ବିଷ ବଳୟରେ ରାଜଧାନୀ ଦିଲ୍ଲୀ । କିଛି ଦିନ ହେବ ରାଜଧାନୀକୁ ଅଣନିଶ୍ୱାସୀ କରି ଦେଇଛି ବାୟୁ ପ୍ରଦୂଷଣ । ଯାହା ଏବେ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଧିରେ ଧିରେ ଶୀତ ବଢୁଥିବା ବେଳେ ଦିଲ୍ଲୀ ବାୟୁର ମାନ ବେଶୀ ବିଷାକ୍ତ ହେବାରେ ଲାଗିଛି ।
ସୂଚନା ଅନୁସାରେ , ରାଜଧାନୀ ନୂଆଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି । ସେଥିପାଇଁ ମହାନଗରୀ ଏହି ବିଷାକ୍ତ ଧୂଆଁରେ ଅଣନିଃଶ୍ବାସୀ ହୋଇପଡ଼ିଛି । ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାର୍ର ତଥ୍ୟ ଅନୁଯାୟୀ, ବିଶ୍ୱର ଟପ୍ ଟେନ୍ ପ୍ରଦୂଷିତ ସହର ଭିତରେ କୋଲକାତା, ମୁମ୍ବାଇ ସମେତ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ରହିଛି । ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାରତର ରାଜଧାନୀ ଦିଲ୍ଲୀକୁ କୁହାଯାଉଛି । ଆଜି ସକାଳ ସାଢ଼େ ୭ଟା ସୁଦ୍ଧା ଏକ୍ୟୁଆଇ ୪୮୩ ସହ ନୂଆଦିଲ୍ଲୀ ପୁଣି ଥରେ ରିୟଲ ଟାଇମ୍ ପ୍ରଦୂଷଣ ତାଲିକାର ଶୀର୍ଷରେ ରହିଛି । ସେହିପରି ଲାହୋର ୩୭୧ ଦ୍ବିତୀୟ ସ୍ଥାନରେ ଅଛି । ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଥିବା ୫ଟି ସହର ମଧ୍ୟରେ କୋଲକାତା ଓ ମୁମ୍ବାଇ ସହର ରହିଛି । ଯାହାର ଏକ୍ୟୁଆଇ ସ୍ତର ଯଥାକ୍ରମେ ୨୦୬ ଓ ୧୬୨ ରହିଛି । ଅଧିକାରୀମାନେ କହିଛନ୍ତି ଯେ, କମ୍ ତାପମାତ୍ରା, ପବନର ଅଭାବ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବା କାରଣରୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେତେକ ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ୫୫୦ ପାଖାପାଖି ରହିଛି । ଏହା କାରଣରୁ ନୂଆଦିଲ୍ଲୀର ୨୦ ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଆଖିରେ ଜଳାପୋଡ଼ା ଓ ଗଳାରେ ଯନ୍ତ୍ରଣା ଅନୁଭବ କରିଛନ୍ତି ।
ଏକ୍ୟୁଆଇ ୦-୫୦ ଭିତରେ ରହିଲେ ଭଲ ବୋଲି ବିବେଚନା କରାଯାଉଥିବା ବେଳେ ୪୦୦-୫୦୦ ମଧ୍ୟରେ ରହିବା ଅତି ସାଂଘାତିକ ବୋଲି କୁହାଯାଇଛି । ଯାହାକି ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିବା ସହ ରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଅଧିକ ବିପଦ ଆଣିଥାଏ । ଦିଲ୍ଲୀରେ ପିଏମ୍ ୨.୫ ନାମରେ ପରିଚିତ ସୂକ୍ଷ୍ମ କଣିକାର ସାନ୍ଦ୍ରତା ପ୍ରତି ଘନ ମିଟର ପିଛା ୫୨୩ ମିଲିଗ୍ରାମ୍ ଥିଲା । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦିତ ମାତ୍ରାଠାରୁ ୧୦୪.୬ ଗୁଣ ଅଧିକ । ଏହା ମନୁଷ୍ୟ କେଶଠାରୁ ପ୍ରାୟ ୩୦ ଗୁଣ ପତଳା । ଫୁସଫୁସ୍ ମାଧ୍ୟମରେ ରକ୍ତ ବାହିକାରେ ପ୍ରବେଶ କରିପାରୁଥିବା ଏହି କଣିକାଗୁଡ଼ିକର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ଦ୍ଵାରା ଏହା ହୃଦୟ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ । ଆଜିଠାରୁ ଜାତୀୟ ରାଜଧାନୀରେ ସାମ୍ପ୍ରତିକ ବାୟୁ ପ୍ରଦୂଷଣ ପରିପ୍ରେକ୍ଷୀରେ ଅନେକ କଠୋର କଟକଣା ଲାଗୁ ହୋଇଛି ।ଏବେ ଦିଲ୍ଲୀରେ ମିନି ଲକ୍ଡାଉନ୍ ଭିତରେ ଜନସାଧାରଣଙ୍କ ପ୍ରଦୂଷଣ ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାଶ କରାଯାଉଛି ।
ଆଗକୁ ଦିପାବଳୀ ଆସୁଥିବାରୁ ବାୟୁ ପ୍ରଦୂଷଣର ମାତ୍ରା ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗାଡି ଚାଳକଙ୍କ ପାଇଁ ଅନେକ ନିୟମ ଲାଗୁ କରିବାକୁ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି ।
ଆଗକୁ ପଢନ୍ତୁ :- ଦିଲ୍ଲୀରେ ବଦଳିଲା ଟ୍ରାଫିକ ନିୟମ