ହାଇଦ୍ରାବାଦ: ତେଲେଙ୍ଗାନାରୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ରାଜ୍ୟର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ ଡମ୍ପର ଟ୍ରକ୍ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଅଠର ଜଣ ଆହତ ହୋଇଛନ୍ତି।
ପୋଲିସ ଅନୁଯାୟୀ ଜିଲ୍ଲାରେ ପଥର ବୋଝେଇ ଏକ ଟିପର୍ ଟ୍ରକ୍ ଏକ ରୋଡୱେଜ୍ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଆଠ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଚେଭେଲା ନିକଟରେ ଟିପର୍ ଟ୍ରକ୍ ତେଲେଙ୍ଗାନା ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ ଗାଡ଼ି ସହିତ ଧକ୍କା ହୋଇଥିଲା, ଯାହା ଫଳରେ ବସ୍ ଉପରେ ପଥର ପଡ଼ିଥିଲା।
ପୋଲିସ କହିଛି ଯେ ଆଜି ସକାଳେ ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ପୋଲିସ ଷ୍ଟେସନ ଅନ୍ତର୍ଗତ ଖାନପୁର ଗେଟ୍ ନିକଟରେ ଏକ ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଆମେ ଘଟଣାସ୍ଥଳରେ ପହଞ୍ଚିଛୁ ଏବଂ ଅଧିକ ସୂଚନା ପରେ ପ୍ରକାଶ କରାଯିବ।
ଅନ୍ୟପକ୍ଷରେ, ତେଲେଙ୍ଗାନା ମନ୍ତ୍ରୀ ପୋନ୍ନମ୍ ପ୍ରଭାକର ଏହି ଗୁରୁତର ସଡ଼କ ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ତେଲେଙ୍ଗାନା ମନ୍ତ୍ରୀ ପୋନ୍ନମ୍ ପ୍ରଭାକର ଏମ୍ଡି ନାଗି ରେଡ୍ଡି ଏବଂ ରଙ୍ଗାରେଡ୍ଡି ଜିଲ୍ଲା କଲେକ୍ଟରଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଏବଂ ଆହତମାନଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ଭୁଲ ପାର୍ଶ୍ୱରୁ ଆସୁଥିବା ଏକ ଟିପର୍ ଟ୍ରକ୍ ବସ୍କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ମନ୍ତ୍ରୀ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ସରକାରୀ ବସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଭାରତରେ କୂଟନୀତିଜ୍ଞ ନିଯୁକ୍ତ କରିବା ସହ ସମ୍ପର୍କ ମଜବୁତ କରିବ ଆଫଗାନିସ୍ତାନ