ନୂଆଦିଲ୍ଲୀ: ଦେଶରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ତିନି ତିନୋଟି ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ୨୪ ଘଣ୍ଟା ମଧ୍ୟରେ ୪୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲାଣି । ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଏବଂ ରାଜସ୍ଥାନର ଯୋଧପୁର ପରେ ଏବେ ଜୟପୁର ସମାନ ଖବର ଆସିଛି । ଏକ ଡମ୍ପର୍ ଗାଡ଼ି ଏକ ଯାତ୍ରୀବାହୀ କାରକୁ ଧକ୍କା ଦେବା ପରେ ସିରିଜ୍ ଦୁର୍ଘଟଣା ଘଟାଇଛି । ପ୍ରାୟ ୫ଟି ଗାଡ଼ିକୁ ଧକ୍କା ଦେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛି । ଗୁରୁତରଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନେକ ଗାଡ଼ି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହରମାଡ଼ା ଥାନା ଲୋହାମଣ୍ଡୀ ରୋଡର ଏକ ଡମ୍ପର୍ ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା । ଏହା ପରେ ତା ସାମ୍ନାକୁ ଯିଏ ଆସିଥିଲା ଗାଡ଼ି ମଡ଼ାଇଚାଲିଥିଲା । ଏମିତିକି ପ୍ରାୟ ୪ଟି ଗାଡ଼ିକୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଚାଲିଥିଲା । ପ୍ରାୟ ୫ କିଲୋମିଟର୍ ପର୍ୟ୍ୟନ୍ତ ସେ ଏହି ସିରିଜ୍ ଦୁର୍ଘଟଣା ଘଟାଇଛି ।
ପୋଲିସ ସୂଚନା ଦେଇଛି ଯେ ଡମ୍ପର୍ ଚାଳକ ୫ଟି ଗାଡ଼ିକୁ ଧକ୍କା ଦେଇଛି । ଯେଉଁଥିରେ ୫୦ ଜଣ ଲୋକଙ୍କୁ ଆହତ ହୋଇଥିବାବେଳେ ସେଥିମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ୪୦ ଜଣ ଲୋକ ଚିକିତ୍ସାଧୀନ ଅବସ୍ଥାରେ ରହିଛି । ଡମ୍ପର୍ ଚାଳକ ନିଶା ସେବନ କରି ଗାଡ଼ି ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶେଷରେ ଧକ୍କା ଦେଇଥିବା କାରରେ କିଛି ଲୋକ ଥିବା ଅନୁମାନ କରାଯାଉଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଡମ୍ପର୍ ଚାଳକ ଏବଂ ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।
ଅନ୍ୟପକ୍ଷରେ ରବିବାର ବିଳମ୍ବିତ ରାତିରେ ରାଜସ୍ଥାନର ଯୋଧପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଫାଲୋଡି ଉପଖଣ୍ଡର ମାଟୋଡା ପୋଲିସ ଷ୍ଟେସନ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଏପର୍ୟ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ତିନିରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଯୋଧପୁରକୁ ସ୍ଥାନାନ୍ତର କରାଯାଇଛି । ଅନେକ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୋଧପୁର ଜିଲ୍ଲାର ସୁରସାଗର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଯାତ୍ରୀମାନେ ବିକାନେର ଜିଲ୍ଲାର କୋଲାୟତ ଦର୍ଶନ କରି ଯୋଧପୁରର ସୁରସାଗର ଅଞ୍ଚଳରୁ ଫେରୁଥିଲେ।
ସେହିପରି ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ ଡମ୍ପର ଟ୍ରକ୍ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଅଠର ଜଣ ଆହତ ହୋଇଛନ୍ତି। ପଥର ବୋଝେଇ ଏକ ଟିପର୍ ଟ୍ରକ୍ ଏକ ରୋଡୱେଜ୍ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଚେଭେଲା ନିକଟରେ ଟିପର୍ ଟ୍ରକ୍ ତେଲେଙ୍ଗାନା ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ ଗାଡ଼ି ସହିତ ଧକ୍କା ହୋଇଥିଲା, ଯାହା ଫଳରେ ବସ୍ ଉପରେ ପଥର ପଡ଼ିଥିଲା।