ବିମାନବନ୍ଦର ପରେ ସ୍କୁଲ ପୁଣି ଏବେ ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ବିମାନର ଟଏଲେଟ୍ ଟିସୁ ପେପରରେ ଦିଆଗଲା ବୋମା ଧମକ । ଯାହା ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଖେଳାଇଛି ଭୟର ବାତାବରଣ ।
ସୂଚନା ଅନୁସାରେ, ବୁଧବାର ଏୟାର ଇଣ୍ଡିଆର ଏକ ବିମାନ ଗୁଜୁରାଟର ବଡୋଦରାରୁ ଉଡାଣ ଭରିବା ପୂର୍ବରୁ ବିମାନର ଜଣେ ଯାତ୍ରୀ ଟିସୁ ପେପର ପାଇଥିଲେ । ସେଥିରେ ବୋମା ଲେଖାଯାଇଥିଲା । ପରେ ଯାତ୍ରୀ ଜଣକ ଏହି ଖବର ବିମାନ କର୍ମଚାରୀଙ୍କୁ ଦେଇଥିଲେ । ସେମାନେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦେଇଥିଲେ ।
ଏହା ପରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ମଧ୍ୟ କରାଯାଇଥିଲା । କିନ୍ତୁ ବୋମାର କୌଣସି ସୂଚନା ମିଳିନଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିବା ସହିତ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ।