ପରଲୋକରେ ସତୀଶ କୌଶିକ,୬୬ ବର୍ଷ ବୟସରେ ଦେହାନ୍ତ
Khabar Odisha:Actor-writer-director-Satish-Kaushik-passed-away
ଖବର ଓଡିଶା : 09/03/2023

 ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ । ୬୬ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି । ସତୀଶଙ୍କ ଦେହାନ୍ତରେ ବଲିଉଡ୍‌ର ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ସତୀଶଙ୍କ ପରଲୋକ ନେଇ ସାଥି କଳାକାର ଅନୁପମ ଖେର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି କହିଛନ୍ତି ଅନୁପମ । ତାଙ୍କ ସହ ଏକ ଫଟୋ ଶେୟାର କରି ଅନୁପମ ଲେଖିଛନ୍ତି, ଜାଣିଛି ‘ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ’। ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ଓ ପୁନେର ଏଫ୍‌ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ୍‌ଲକ୍ଷ୍ମଣ, ସାଜନ୍‌ ଚଲେ ଶଶୁରାଲ ଆଦି ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ। ୧୯୮୫ ମସିହାରେ ସତୀଶ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରାୟ ୧୦ ବର୍ଷ ବୟସରେ ତାଙ୍କର ଏକ ପୁଅ ହୋଇଥିଲା । ୧୯୯୬ ମସିହାରେ ଏକ ଦୁର୍ଘଟଣାରେ ସେ ତାଙ୍କ ଦୁଇ ବର୍ଷର ପୁଅକୁ ହରାଇଥିଲେ । ଏହି ଦୁଃଖରୁ ବାହାରିବାକୁ ସତୀଶଙ୍କୁ ବହୁ ସମୟ ଲାଗିଥିଲା । ତାଙ୍କ ପୁଅ ମୃତ୍ୟୁର ୧୬ ବର୍ଷ ପରେ ୨୦୧୨ ମସିହାରେ ସରୋଗେସି ମାଧ୍ୟମରେ ସତୀଶଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ, ଚୋରୋଁକା ରାଜା ଚଳଚ୍ଚିତ୍ରରୁ ସେ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ସତୀଶ। ସଲମାନ ଖାନ ଙ୍କ ‘ତେରେ ନାମ’ ଭଳି ଫିଲ୍ମର ନିର୍ଦ୍ଦେଶନାରୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ ସତୀଶ କୌଶିକ। ତାଙ୍କର ଶେଷ ଫିଲ୍ମ ଥିଲା ‘ଛତ୍ରିୱାଲି’। ‘ରାମ ଲଖନ’ ଏବଂ ‘ସାଜନ ଚଲେ ସସୁରାଲ’ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଫିଲ୍ମ ଫେୟାର ଶ୍ରେଷ୍ଠ କମେଡିଆନ ପୁରସ୍କାର ମିଳିଥିଲା

Subscribe

National International State Sports Entertainment