ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗରମ ତରଳ ଇସ୍ପାତ ଲିକ୍ ହେବା କାରଣରୁ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟ ସର୍କଲ୍ ଇନସ୍ପେକ୍ଟର୍ କେଶବ ରାଓଙ୍କ ସୂଚନା ମୁତାବକ, ଏହି ଘଟଣା ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ସପ୍ (SMS)-୨ ଏବଂ SMS-୩ ସେକ୍ସନରେ ଘଟିଥିବା ଅନୁମାନ କରାଯାଉଛି । ତରଳ ଇସ୍ପାତ ଉଠାଣ କାର୍ଯ୍ୟ ସମୟରେ ଏହି ଅଘଟଣ ଘଟିବା ଦ୍ୱାରା ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଛି ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।
ରାଜ୍ୟ ଗୃହମନ୍ତ୍ରୀ ଭାଙ୍ଗାଲାପୁଡି ଅନିଥା ଏହି ଦୁର୍ଘଟଣା ବିଷୟରେ ସଜ୍ଞାନ ନେଇଛନ୍ତି । ସେ ଫୋନ୍ ଯୋଗେ ଜିଲ୍ଲାପାଳ ଏବଂ ପୋଲିସ କମିଶନରଙ୍କ ସହିତ ଆଲୋଚନା କରିଛନ୍ତି । ସମସ୍ତ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।