ନୂଆପଡ଼ା: ବିହାର ବିଧାନସଭା ନିର୍ବାଚନର ବିଗୁଲ ବାଜି ସାରିଛି। ନଭେମ୍ବର ୬ ଏବଂ ୧୧ରେ ଭୋଟିଂ ହେଉଥିବା ବେଳେ ୧୪ରେ ହେବ ଭୋଟ୍ ଗଣତି। ତେବେ ଏହି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ୧୭ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଏହାର ସୂଚନା ଦେଇଛନ୍ତି। ଏହି ୧୭ ନୂଆ ପଦକ୍ଷେପ ପ୍ରଥମେ ବିହାର ବିଧାନସଭାରେ ଲାଗୁ ହେବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ସମଗ୍ର ଦେଶରେ ଲାଗୁ କରାଯିବ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଏହି ପରିବର୍ତ୍ତନ ଆଧାରରେ ଗୋଟିଏ ପୋଲିଂ ବୁଥରେ ୧୨୦୦ରୁ ଅଧିକ ଭୋଟର ରହିବେ ନାହିଁ। ଏକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନକ୍ରମେ ଏବେ ବୁଥ ପର୍ଯ୍ୟନ୍ତ ଭୋଟର ମୋବାଇଲ ଫୋନ ନେଇ ପାରିବେ। ଫୋନ ବାହାରେ ଜମା କରି ଫେରିବା ସମୟରେ ନେଇ ପାରିବେ। ଯେଉଁ ମତଦାତାଙ୍କ ନାଁ ଭୋଟର ତାଲିକାରେ ନୂଆ ଭାବେ ଯୋଡ଼ି ହୋଇଛି କିମ୍ବା ଯାହାଙ୍କ ଠିକଣା ପରିବର୍ତ୍ତନ ହୋଇଛି, ସେମାନଙ୍କୁ ନୂଆ ଭୋଟର ଆଇକାର୍ଡ ଦିଆଯାଇଛି। ଏହିପରି ଭାବେ ୧୪ ଲକ୍ଷ ମତଦାତାଙ୍କୁ ନୂଆ ଭୋଟର କାର୍ଡ ଦିଆଯାଇଛି।
୧୭ ନୂଆ ପଦକ୍ଷେପ
୧ - ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧିକ ଭୋଟ୍ ଦେଇ ପାରିବେ ୧୨୦୦ ଭୋଟର।
୨- ସମସ୍ତ ମତଦାନ କେନ୍ଦ୍ରରେ ଶତ ପ୍ରତିଶତ ହେବ ୱେବକାଷ୍ଟିଂ।
୩- ଭୋଟରଙ୍କ ମୋବାଇଲ୍ ଫୋନ୍ ଜମା କରିବା ପାଇଁ କାଉଣ୍ଟର ।
୪- ଇଭିଏମ୍ ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରହିବ ରଙ୍ଗୀନ ଫଟୋ।
୫- ବୁଥ୍-ସ୍ତରୀୟ ଅଧିକାରୀ (BLO) ଏବଂ ପର୍ଯ୍ୟବେକ୍ଷକଙ୍କୁ ଦିଆଯିବ ତାଲିମ।
୬- ସ୍ପେଶାଲ ଇଣ୍ଟେନସିଭ୍ ରିଭ୍ୟୁର (SIR) ସଫଳ ସମାପ୍ତି ।
୭- ଡିଜିଟାଲ୍ ଇଣ୍ଡେକ୍ସ କାର୍ଡର ଶୀଘ୍ର ବଣ୍ଟନ।
୮- ୱାନ୍ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ।
୯- ୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ବଣ୍ଟନ।
୧୦- ବୁଥ୍-ସ୍ତରୀୟ ଅଧିକାରୀଙ୍କ ପାଇଁ ପରିଚୟପତ୍ର।
୧୧- ଫର୍ମ ୧୭ ସି ଏବଂ ଇଭିଏମ୍ ମଧ୍ୟରେ ବିସଙ୍ଗତି ହେଲେ VVPAT ଗଣନା ।
୧୨- ପୋଷ୍ଟାଲ୍ ବାଲଟର ହେବ ପ୍ରାରମ୍ଭିକ ଗଣନା ।
୧୩- ସମ୍ବେଦନଶୀଳ ସୋସାଇଟିରେ ଅତିରିକ୍ତ ବୁଥ୍ ।
୧୪- ୧୦୦ ମିଟର ବାହାରେ ଅଣ-ଆନୁଷ୍ଠାନିକ ପରିଚୟପତ୍ର ସ୍ଲିପ୍ ବୁଥ୍ ରହିବ ।
୧୫- ରାଜନୈତିକ ଦଳଗୁଡ଼ିକ କରି ପାରିବେ BLA ବ୍ୟବହାର ।
୧୬-ପୋଲିସ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ।
୧୭- ମତଦାନ ଏବଂ ଗଣନା କର୍ମଚାରୀଙ୍କ ପାରିଶ୍ରମିକ ଦ୍ୱିଗୁଣିତ କରାଯିବ।