ଡେରାଡୁନ୍: ଦିଲ୍ଲୀ-ଏନ୍ସିଆର ବ୍ୟତୀତ ପାହାଡ଼ରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଉତ୍ତରାଖଣ୍ଡରେ ଗୁରୁବାର ଅନବରତ ବର୍ଷା ଯୋଗୁଁ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ଗୋଟିଏ ପରିବାରର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି। ଲଗାତାର ବର୍ଷା କାରଣରୁ ପାହାଡ଼ିଆ ରାଜ୍ୟର ଏକାଧିକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି।
କେଦାରନାଥ ଯାତ୍ରା ମାର୍ଗରୁ ୩୩୦୦ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଛି। ଏଥିରେ ୭୦୦ ଶ୍ରଦ୍ଧାଳୁଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଛି। ଏଥି ସହିତ ୫୦୦୦ ଖାଦ୍ୟ ପ୍ୟାକେଟ୍ ବିତରଣ କରାଯାଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସହାୟତା କରାଯାଇଛି। ଉଦ୍ଧାର ପାଇଁ ଏୟାର ଫୋର୍ସର ଚିନୁକ, ଏମ୍ଆଇ-୧୭ ନିୟୋଜିତ ହୋଇଛି। ସେହିପରି ଏଟିଏଫ୍ର ୩ଟି ଟ୍ୟାଙ୍କର ମଧ୍ୟ ପଠାଯାଇଛି।
ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ରାତିସାରା ବର୍ଷା କାରଣରୁ ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। କିଛି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି।