ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରସ୍ତାବିତ ଚାରୋଟି ନୂତନ ରେଳ ପ୍ରକଳ୍ପରେ ମୋହର ବାଜିଛି । ଦୀପାବଳି ଏବଂ ଛଟ୍ ପର୍ବକୁ ଦୃଷ୍ଟିରେ ରଖି ଦେଶରେ ୧୨,୦୦୦ ରେଳ ଚଳାଚଳ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ସାମ୍ବାଦିକ ସମ୍ମିଳନୀରେ ରେଳ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ସୂଚନା ଦେଇଛନ୍ତି ।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ କହିଛନ୍ତି ଯେ ଭାରତ ଏବେ ଆମେରିକାକୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଲ୍ ପରିବହନକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଭାରତ ୧୦ ବର୍ଷ ପୂର୍ବେ ଯେଉଁଠାରେ ଥିଲା ଏବେ ଏକ ଲମ୍ବା ଲମ୍ଫ ମାରିଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆହୂତ କ୍ୟାବିନେଟ୍ ବୈଠକରେ ଚାରୋଟି ନୂତନ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛୁ । ସାତଟି ରେଳ କରିଡର ମୋଟ ରେଳ ଟ୍ରାଫିକର ୪୧% ବହନ କରେ । ଏହି କରିଡରଗୁଡ଼ିକୁ ଆହୁରି ମଜବୁତ ଏବଂ ସଂଯୋଗ କରିବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଚି । ଏହି କରିଡରଗୁଡ଼ିକୁ ସର୍ବନିମ୍ନ ଚାରି ଲେନ୍ ଏବଂ ଆବଶ୍ୟକ ସ୍ଥଳେ ଛଅ ଲେନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗୁଜରାଟ-ମଧ୍ୟପ୍ରଦେଶକୁ ଯୋଡ଼ୁଥିବା ବଡ଼ୋଦରା-ରତଲାମ (୫୧୩କିମି), ମୁମ୍ବାଇ-ହାୱାଡା ପାଇଁ ଭୁଷାବଳ-ୱାର୍ଦ୍ଦା (୭୪୪ କିମି), ଛତିଶଗଡ଼-ମହାରାଷ୍ଟ୍ରକୁ ଯୋଡ଼ୁଥିବା ଗୋନ୍ଦିଆ-ଡୋଙ୍ଗରଗଡ଼ (୯୮ କିମି) ଏବଂ ମଧ୍ୟ ପ୍ରଦେଶ ପାଇଁ ଇତର୍ଶୀ-ଭୋପାଲ-ବୀନା (୨୬୪ କିମି) କରିଡରକୁ ମଞ୍ଜୁରି ମିଳିଛି । ମୋଟ୍ ୧୬୧୯ କିମି ରେଳ ପ୍ରକଳ୍ପ ପାଇଁ ୨୪ ହଜାର ୬୩୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଅଧିକ ରେଳ ପ୍ରକଳ୍ପ ଆସିବା ସହିତ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଉଛି । ଆମ ଭଳି ଜନସଂଖ୍ୟା ଏବଂ ଅର୍ଥନୀତି ଥିବା ଦେଶଗୁଡ଼ିକ ରେଳ ଉପରେ ଗୁରୁତ୍ୱ ଦେଇଛନ୍ତି କାରଣ ଏହା ପରିବେଶ ଅନୁକୂଳ ଏବଂ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରେ।