ମୁମ୍ବାଇ: ଆଜି ଉତ୍ତର-ପୂର୍ବ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପିଲର୍ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଭଗ୍ନାବଶେଷ ତଳେ ଅନେକ ଯାନବାହନ ଫସି ରହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଅପରାହ୍ନରେ ଅପରାହ୍ନ ପ୍ରାୟ ୧୨:୨୦ ସମୟରେ ଉତ୍ତର-ପୂର୍ବ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ସମ୍ମୁଖରେ ଏଲବିଏସ ରୋଡରେ ଚାଲିଥିବା ମେଟ୍ରୋ ପ୍ରକଳ୍ପର ପିଲର୍ ଭୁଶୁଡ଼ି ପଡ଼ିଥିଲା । ପିଲରରୁ ଏକ ସିମେଣ୍ଟ ସ୍ଲାବ୍ ଭାଙ୍ଗି ତଳେ ଥିବା ଏକ ଅଟୋରିକ୍ସା ଉପରେ ପଡ଼ିଥିଲା । ସେହି ବାଟ ଦେଇ ଯାଉଥିବା ଏକ କାରରେ ସମ୍ମୁଖ ଭାଗରେ ମଧ୍ୟ ପଡ଼ିଥିଲା । ଫଳରେ ଅଟୋ ରିକ୍ସାଟି ସମ୍ପୂର୍ଣ୍ଣ ସ୍ଲାବ୍ ତଳେ ପଡ଼ିଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ, ମେଟ୍ରୋ ରେଳ ରୁଟ୍ (ଲାଇନ୍ ୪) ନିର୍ମାଣ କରୁଥିବା ଫାର୍ମର କର୍ମଚାରୀମାନେ ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।