ନୂଆଦିଲ୍ଲୀ: ୱାକଫ ସଂଶୋଧନ ଆକ୍ଟ ୨୦୨୫କୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜୋର ଧରିଛି । ପଶ୍ଚିମବଙ୍ଗ ସହିତ ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଓ ରାଲି ଆୟୋଜନ କରାଯାଉଛି । ଅନେକ ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି । ଏପରିକି ପଶ୍ଚିମବଙ୍ଗରେ ହିାଂ କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି । ମାମଲାରେ ଏବେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମୁଖପାତ୍ର ଶିଶିର ଚତୁର୍ବେଦୀ ପ୍ରତିକ୍ରିୟା ଦେଇଛନ୍ତି । ସେ ହିଂସା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଆଇନ ଉପରେ ଆଲୋଚନା ଓ ବିରୋଧ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହେବା ଉଚିତ୍ ।
ଶିଶିର ଚତୁର୍ବେଦୀ ଭିଡିଓ ଜାରି କରି କହିଛନ୍ତି, ମନରେ ଗଭୀର ଦୁଃଖ ରହିଛି । ପଶ୍ଚିମବଙ୍ଗରେ ମୁର୍ଶିଦାବାଦ ଜଳୁଛି । ବୋହୂ-ଝିଅଙ୍କ ଇଜ୍ଜତ ଲୁଟା ଯାଉଛି । ଘରେ ନିଆଁ ଲଗାଇ ଦିଆଯାଉଛି । ଲୋକେ ବାଧ୍ୟ ହୋଇ ପଳାୟନ କରୁଛନ୍ତି । ରାଜ୍ୟର ମମତା ବାନାର୍ଜୀ ସରକାର ହିନ୍ଦୁଙ୍କ ସହ କଣ କରୁଛନ୍ତି ? ଯେବେ ଦେଶର ସୀମାର ସୁରକ୍ଷା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ପାଖରେ ରହିଛି ତେବେ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ରୋହିଙ୍ଗ୍ୟା ମୁସଲମାନ କେମିତି ଅନୁପ୍ରବେଶ କରୁଛନ୍ତି ?
ଶିଶିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରିଛନ୍ତି ଯେ, ମାମଲାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯାଉ ଓ ଶୀଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ । ସେଠାରେ ହିନ୍ଦୁଙ୍କ ସଂହାର କରାଯାଉଛି । କିନ୍ତୁ କୌଣସି ରାଜନୈତିକ ଦଳ ମୁହଁ ଖୋଲୁ ନାହାନ୍ତି । ସରକାର କାହିଁକି ଏହି ମାମଲାରେ ହସ୍ତକ୍ଷେପ କରୁ ନାହାନ୍ତି ? ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ହିନ୍ଦୁ ମହାସଭା ରାସ୍ତାକୁ ଓହ୍ଲାଇବ କାରଣ ପଶ୍ଚିମବଙ୍ଗ ଆମର ବିଶେଷ ଦାୟିତ୍ୱ ବହନ କରୁଛି । ଏଠାରେ ଦିନ ଥିଲା ଆମର ସରକାର ବି ଥିଲା ।
ପଶ୍ଚିମବଙ୍ଗରେ ହିଂସକ ପ୍ରଦର୍ଶନ ଉପରେ ପ୍ରସିଦ୍ଧ କଥାବାଚକ ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, ଏହା ଦେଶର ଦୁର୍ଭାଗ୍ୟ ଯେ, ସେଠାରେ ହିନ୍ଦୁଙ୍କ ପଳାୟନ ହେଉଛି । ଏମିତି ସ୍ଥିତି କାରଣରୁ ଆଜି ହିନ୍ଦୁ ନିଜ ଘର ଛାଡିବାକୁ ବିବଶ ହେଉଛି । ଆଜି ପଶ୍ଚିମବଙ୍ଗରେ ଏମିତି ଘଟୁଛି, ଆସନ୍ତାକାଲି ମହାରାଷ୍ଟ୍ର ଏବଂ ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ବି ଏମିତି ଚିତ୍ର ଦେଖିବାକୁ ମିଳିବ ।