ଭୁବନେଶ୍ଵର, ଜାନୁଆରୀ ୧୪ (ଖବର ଓଡିଶା) :
ବିଦ୍ୟୁତ ବିତରଣ କମ୍ପାନୀ ସେସୁକୁ ନେଇ ବିବାଦ ଜୋର ଧରିଛି। ସେସୁ ବକେୟା ବିଲ୍ ଆଦାୟ କରିବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ରାଜ୍ୟ ସରକାରଙ୍କୁ ଦାୟୀ କରି ଜୋରଦାର ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ଓଡ଼ିଶାର ମୁଖ୍ୟ ଭାଗକୁ ବିଜୁଳି ଯୋଗାଇଦେଉଥିବା କମ୍ପାନୀ ସେସୁ ଏବେ ଗ୍ରାମାଞ୍ଚଳରେ ବାକି ଥିବା ୧୯୫୦ କୋଟି ଟଙ୍କା ଆଦାୟ କରିବା ପାଇଁ ୧୧ ହଜାରରୁ ଉର୍ଦ୍ଧ୍ୱ ଗାଁରେ ବିଜୁଳି କାଟିବା ପାଇଁ ନିଷ୍ପତ୍ତି ନେଇଛି । ବିଜୁଳି ଲୋକଙ୍କ ଘରୁ ସିଧାସଳଖ କଟାଯିବ । ବକେୟା ବିଲ ଆଦାୟ କରିବାର ଆବଶ୍ୟକ ଅଛି । କିନ୍ତୁ ବଡ଼ବଡ଼ କମ୍ପାନୀ ଏବଂ ବ୍ୟବସାୟିକ ସଂଗଠନ ପାଖରେ ବାକି ପଡ଼ିଥିବା ଟଙ୍କା ଆଦାୟ ନକରି ସରକାର କଣ ପାଇଁ ଗରୀବଙ୍କ ପେଟରେ ଲାତ ମାରିବାକୁ ଯୋଜନା କରୁଛନ୍ତି ବୋଲି ପଚାରିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି ଯେ, ବିଜୁଳି ବିଲ ବକେୟା ରଖିଥିବା ବଡ଼ଵଡ଼ କମ୍ପାନିଙ୍କ ଠାରୁ ପ୍ରଥମେ ବିଦ୍ୟୁତ୍ ବିଲ୍ ଆଦାୟ କରାଯାଉ। ଏପରି ନକରି ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ପିଲାଙ୍କ ପରୀକ୍ଷା ସମୟରେ ସରକାରଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ କହି କଡା ଶବ୍ଦରେ ସମାଲୋଚନା କରିଛନ୍ତି ଲେଖାଶ୍ରୀ।
ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଖରେ ରାଜସ୍ୱ କମାଇବାର ଉତ୍ସ ନାହିଁ । ଏପରିକି ବଜାରରେ ବକେୟା ଆଦାୟ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ମାର ମାର ଭଣ୍ଡାରିଆକୁ ମାର ନୀତିରେ କଣ ପାଇଁ ରାଜ୍ୟ ସରକାର ଚାଲିଛନ୍ତି ? ଆସନ୍ତା ୧୬ରେ ବିଜୁଳି କାଟିବାକୁ ଯେଉଁ ନିଷ୍ପତ୍ତି ହୋଇଛି ତାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ । ଏପରିକି ଆଗକୁ +୨ ଏବଂ ମ୍ୟାଟ୍ରିକ ପରୀକ୍ଷା ଥିବା ବେଳେ ପିଲାମାନଙ୍କ ପାଠପଢ଼ା ପ୍ରତି ଅସୁବିଧା ଉପୁଜିବ। ଗାଁ ଗହଳିର ଛାତ୍ରଛାତ୍ରୀ ହଇରାଣ ହେବେ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।
ସେ ପୁଣି କହିଛନ୍ତି ଯେ, ଲୋକଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦେବା ସରକାରଙ୍କ ମୁଖ୍ୟ ଦାୟିତ୍ୱ। ତେଣୁ ବିଜୁଳି କାଟ ପୁର୍ବରୁ ଲୋକଙ୍କ ସହ ଆଲୋଚନା କରନ୍ତୁ ସରକାର, ଲୋକଙ୍କ ଦେୟ ଦାଖଲ କ୍ଷମତା ଅଛି କି ନାହିଁ ସରକାର ତର୍ଜମା କରନ୍ତୁ। ଅଳ୍ପ କିଛି ଲୋକଙ୍କ ଖିଲାଫି କାରଣରୁ ଦେୟ ଦେଇଥିବା ଗ୍ରାହକ କାହିଁକି ଅସୁବିଧା ଭୋଗିବ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ନିଜକୁ ବିଜୁଳି ହବ୍ ବୋଲି କହୁଥିବା ବେଳେ ବକେୟା ପାଇଁ ଗରୀବ ଲୋକଙ୍କ ପେଟକୁ ଲାତ ମାରିବା ଯୁକ୍ତିଯୁକ୍ତ ନୁହେଁ । ବିଜୁଳି ଏକ ଅତ୍ୟାବଶ୍ୟକ ସେବା ହୋଇଥିବାବାରୁ ଏହାର ଆବଶ୍ୟକତା ଢ଼େର ବେଶୀ । ଅନ୍ୟପଟେ ରାଜ୍ୟ ସରକାର ଏବେଯାଏଁ ସ୍ପଷ୍ଟ କଲେନି ଯେ କେଉଁ ଘରୋଇ କମ୍ପାନୀ ପାଖରେ କେତେ ବକେୟା ରହିଛି । ଘରୋଇ କମ୍ପାନୀ ପାଖରେ ଟଙ୍କା ଅଛି ସେମାନରେ ଓକିଲ ମାଧ୍ୟମରେ କେସ୍ ଲଢ଼ିପାରିବେ । କିନ୍ତୁ ଗରୀବ ଲୋକ ପାଖରେ ଟଙ୍କା ନଥିବାରୁ ତାକୁ ମରିବାକୁ ପଡ଼ିବ ବୋଲି ନବୀନ ବାବୁ କହୁଛନ୍ତି କି ବୋଲି ପଚାରିଛନ୍ତି ଲେଖାଶ୍ରୀ ।
ଯେଉଁଠି କାଳିଆ ମାଧ୍ୟମରେ ୫ ହଜାର ଟଙ୍କା ପଠାଯାଉଛି ସେଠାକୁ ବକେୟା ବିଲ ଯାଉଛି ୪୦ ହଜାର ଟଙ୍କା । ସେମାନେ ବକେୟା ବିଲ୍ କେମିତି ଦେବେ ? ସରାକରଙ୍କ କର୍ତ୍ତବ୍ୟ ହେଲା ଷ୍ଟେବଲ, ଷ୍ଟିଡି ଏବଂ ସପ୍ଲାୟ କରିବା ଏବଂ ଯେଉଁ ଦରରେ ସାଧାରଣ ଲୋକ ବିଜୁଳି ବିଲ୍ ଦେଇପାରିବେ ସେଭଳି ଦର ଧାର୍ଯ୍ୟ କରିବା । ଜଣେ ଗ୍ରାହକଙ୍କ ହିତକୁ ସର୍ବାଗ୍ରେ ରଖିବା ସହ ସେମାନେ କେଉଁ ପର୍ଯ୍ୟାୟରେ ଟଙ୍କା ପୈଠ କରିପାରିବେ ସେନେଇ ରାଜ୍ୟ ସରକାର ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।