ରାଂଚି: ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ଲଜ୍ଜାର ସୀମା ଟପିଛି। ନିଜ ପିଲାଙ୍କ ସାମ୍ନାରେ ସେନାରେ କାର୍ଯ୍ୟରତ ଜଣେ ଯବାନଙ୍କ ପତ୍ନୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଗତ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏପରି ଏକ ସାଂଘାତକି ଘଟଣା ନେଇ ମଙ୍ଗଳବାର ରାଂଚିର ଏକ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାର ଯାଂଚ ପାଇଁ ଝାଡ଼ଖଣ୍ଡ ସରକାରଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ଗଠିତ ହୋଇଛି।
ଲେହ-ଲଦାଖରେ କାର୍ଯ୍ୟରତ ଥିବା ଯବାନଙ୍କ ପତ୍ନୀ ରାଂଚିସ୍ଥିତ ଘରେ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି। ଦୁଇ ସନ୍ତାନଙ୍କର ବୟସ ଯଥାକ୍ରମେ ୭ ବର୍ଷ ଓ ୪ ମାସ। ଯବାନଜଣକ ପରିବାରଠୁ ଦୂରରେ ରହୁଥିବା ବେଳେ ରାଂଚିର ଲାଲଖଟଙ୍ଗାରେ ତାଙ୍କର ନୂତନ ଘର ନିର୍ମିତ ହେଉଥିଲା। ଉକ୍ତ ଘରେ ତାଙ୍କ ପତ୍ନୀ ନିଜ ଦୁଇ ସନ୍ତାନଙ୍କୁ ଧରି ରହୁଥିବା ବେଳେ ଘର କାମର ତଦାରଖ କରୁଥିଲେ।
ତେବେ ନିର୍ମାଣାଧୀନ ଘର ପାଖରେ ଅନ୍ୟ ଘର ନ ଥିବା ବେଳେ ଏହାର ସୁଯୋଗ ନେଇ ଗତ ସୋମବାର ରାତିରେ ୪ଜଣ ଯୁବକ ବଳପୂର୍ବକ ପ୍ରବେଶ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଦୁଇ ଛୁଆଙ୍କୁ ହତ୍ୟାଧମକ ଦେଇ ମହିଳାଙ୍କୁ ସେମାନଙ୍କ ସମ୍ମୁଖରେ ଗଣବଳାତ୍କାର କରି ଫେରାର ହୋଇ ଯାଇଥିଲେ।
ସୋମବାର ରାତିର ଘଟଣାକୁ ନେଇ ପୀଡିତା ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଛନ୍ତି। ଏହି ଲୋକହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେଲା ପରେ ଚାଂଚଲ୍ୟ ସୃଷ୍ଟି କରିଛି। ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠିତ ହୋଇଛି। ମାତ୍ର ଅଭିଯୁକ୍ତମାନଙ୍କର ପତ୍ତା ମିଳି ପାରି ନାହିଁ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଘନଘନ ଚଢ଼ାଉ କରୁଛି।