ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଦୀର୍ଘ ଦିନ ହେଲା ଜଳ ସଂକଟ ଦେଖାଯାଇଛି। ପାନୀୟ ଜଳ ପାଇଁ ଦିଲ୍ଲୀର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅଧିକ ଜଳ କଷ୍ଟ ହେଉଛି। ବଡ଼ବଡ଼ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା। ପାଣିକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଅରବିନ୍ଦ କେଜ୍ରିୱାଲ ସରକାର ଅଭିଯୋଗ ଆଣିଛନ୍ତି ଯେ, ହରିୟାଣାରୁ ଦିଲ୍ଲୀକୁ ପାଣି ଦିଆଯାଉ ନାହିଁ। ମଙ୍ଗଳବାର ଚଣ୍ଡୀଗଡ଼ରେ ହୋଇଥିବା ବୈଠକରେ ହରିୟାଣା ପାଣି ଦେବାକୁ ମନା କରିଦେଇଛି ବୋଲି ଆପ୍ ସରକାର ଅଭିଯୋଗ ଆଣିଛି।
ଦିଲ୍ଲୀରେ ଜଳ ସଂକଟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛି। ଏଥି ପାଇଁ ବିଜେପି ରବିବାର ଓ ସୋମବାର ଦିନ ବିଭିନ୍ନ ଅଞ୍ଚଳରେ ପ୍ରଦର୍ଶନ କରିଛି। ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ସମେତ ଅନ୍ୟ ନେତାମାନେ ମଧ୍ୟ ସକାଳୁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ପଦଯାତ୍ରା କରି ଜଳ ସଂକଟ ପାଇଁ ଦିଲ୍ଲୀ ସରକାର ଦାୟୀ ବୋଲି କହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ସରକାର ଜଳ ନଷ୍ଟ ଓ ଚୋରୀ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହି କାରଣରୁ ଦିଲ୍ଲୀବାସୀଙ୍କୁ ଜଳସଂକଟର ସାମ୍ନା କରିବାକୁ ପଡୁଛି। ପାନୀୟ ଜଳର ପରିଚାଳନ ପାଇଁ ଠିକ୍ ଯୋଜନାମୂଳକ ବୈଠକ ହୋଇନାହିଁ।
ଆପ୍ ବିଧାୟକ ଟ୍ୟାଙ୍କର ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି। ଜଳମନ୍ତ୍ରୀ ଆତିଶୀ ନିଜର ଦୁର୍ବଳତା ଲୁଚାଇବା ପାଇଁ ହରିୟାଣା ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି। ସତ୍ୟ କ’ଣ ସେନେଇ ବିଜେପିର ସମସ୍ତ ସାଂସଦ, ବିଧାୟକ, ପାର୍ଷଦ, ପଦାଧିକାରୀ ଓ ଅନ୍ୟ ବରିଷ୍ଠ ନେତା ପଦଯାତ୍ରା କରିଛନ୍ତି।