ନୂଆଦିଲ୍ଲୀ: ପାଗ ପୁଣି ଥରେ ବଦଳିପାରେ। ଫଳରେ ପାହାଡ଼ିଆ ଅଂଚଳରେ ତୁଷାରପାତ ଓ ବର୍ଷା ହେବା ସହ ଥଣ୍ଡା ବଢ଼ିପାରେ। ପଶ୍ଚିମ ବିକ୍ଷୋଭ ପୁନଃ ସକ୍ରିୟ ହେବା ଫଳରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ସମେତ ପଞ୍ଜାବ, ଦିଲ୍ଲୀ-ଏନସିଆର ଏବଂ ହରିୟାଣାରେ ପାଗ ଅନିଶ୍ଚିତ ରହିବ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି, ଯାହା ଫଳରେ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଫଳରେ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ସୋମବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସଙ୍କେତ ଦେଇଛି।
ସୋମବାର ଅପରାହ୍ନରୁ ହିମାଚଳର ପାଗରେ ପରିବର୍ତ୍ତନ ହୋଇପାରେ, ଯଦିଓ ଏହା ଫେବ୍ରୁଆରି ୪ରେ ଅଧିକ ପ୍ରଭାବଶାଳୀ ହେବ। ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରୀ ଓ ଘନ କୁହୁଡ଼ି ସହ ତୁଷାରପାତ ଓ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ-ଏନସିଆର ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ ସୂଚାଉଛି ଯେ ସୋମବାର ସକାଳେ ଧୂଆଁ ଏବଂ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ହୋଇପାରେ। ସନ୍ଧ୍ୟା କିମ୍ବା ରାତିରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ରବିବାର ଉତ୍ତରାଖଣ୍ଡରେ ପାଗ ଶୁଖିଲା ରହିଥିଲା। ସର୍ବୋଚ୍ଚ ତାପମାତ୍ରାରେ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ରେକର୍ଡ କରାଯାଇଛି। ଦିନର ତାପମାତ୍ରା ୨୫ ଡିଗ୍ରି ଉପରେ ପହଞ୍ଚିବା ଫଳରେ ଗରମ ଅନୁଭବ ହୋଇଥିଲା। ତଥାପି ରାତି ଓ ସକାଳେ ଥଣ୍ଡା ଲାଗି ରହିଛି। କାଶ୍ମୀରରେ ରବିବାର ଆକାଶରେ ମେଘ ଘେରି ରହିଥିଲା। ଶନିବାର ଦିନ କାଶ୍ମୀରର ଉଚ୍ଚ ପାହାଡ଼ିଆ ଅଞ୍ଚଳ ଏବଂ ସମତଳ ଅଞ୍ଚଳରେ ତୁଷାରପାତ ଏବଂ ବର୍ଷା ଯୋଗୁଁ ଶୀତ ବଢ଼ିଥିଲା।