ଇସଲାମାବାଦ: ହଜ୍ କିମ୍ବା ଉମରା ବାହାନାରେ ସାଉଦି ଆରବ ଯାଇ ସେଠାରେ ପହଞ୍ଚିବା ପରେ ଭିକ୍ଷାବୃତ୍ତି କରୁଥିବା ପାକିସ୍ତାନୀଙ୍କ କାର୍ଯ୍ୟକଳାପକୁ ନେଇ ସାଉଦି ସରକାର କଠୋର ହୋଇଛନ୍ତି। ସାଉଦି ଆରବ ଏଭଳି ପାକିସ୍ତାନୀଙ୍କୁ ଅଟକ ରଖି ନିଜ ଦେଶକୁ ପଠାଇବା ଆରମ୍ଭ କରିଛି। ନିକଟରେ ଏଭଳି ଅନେକ ପାକିସ୍ତାନୀଙ୍କୁ ଫେରାଇ ଦିଆଯାଇଛି, ଯାହା ଇସଲାମାବାଦ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ବିଦେଶରେ ଭିକ ମାଗୁଥିବା ଲୋକମାନେ ଦେଶର ଭାବମୂର୍ତ୍ତିକୁ ଖରାପ କରୁଛନ୍ତି, ଯାହା କି ଉମରା କିମ୍ବା ହଜ୍ ପାଇଁ ସାଉଦି ଆରବ ଯାଉଥିବା ପ୍ରକୃତ ତୀର୍ଥଯାତ୍ରୀଙ୍କ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି କରୁଛି ବୋଲି ପାକିସ୍ତାନ ଚିନ୍ତିତ।
ପାକିସ୍ତାନର ଫେଡେରାଲ୍ ତଦନ୍ତ ଏଜେନ୍ସି ନିଶ୍ଚିତ କରିଛି ଯେ ସାଉଦି ଆରବରୁ ୧୦ ଜଣ ସନ୍ଦିଗ୍ଧଙ୍କୁ ଦେଶାନ୍ତର କରାଯାଇଛି, ଯେଉଁମାନେ ଉମରାଓ ଭିସାରେ ସାଉଦି ଆରବ ଯାଇଥିଲେ କିନ୍ତୁ ସେଠାରେ ଭିକ୍ଷା ମାଗୁଥିବା ବେଳେ ଧରାପଡ଼ିଥିଲେ। ପାକିସ୍ତାନୀ ଗଣମାଧ୍ୟମ ଏକ୍ସପ୍ରେସ ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ରିଆଦ ଗତ ବର୍ଷ ଇସଲାମାବାଦ ସହିତ ସାଉଦି ଆରବରେ ଭିକାରୀ ପହଞ୍ଚିବା ପ୍ରସଙ୍ଗ ଅନେକ ଥର ଉଠାଇଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ନଭେମ୍ବର ୨୦୨୩ରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ସାଉଦି ଆରବକୁ ଜଣାଇଥିଲେ ଯେ ଭିକ୍ଷାବୃତ୍ତି ପାଇଁ ଉମରା କିମ୍ବା ହଜ୍ ଭିସା ବ୍ୟବହାର କରୁଥିବା ପାକିସ୍ତାନୀମାନଙ୍କ ବିରୋଧରେ ଦେଶବ୍ୟାପୀ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଚାଲିଛି।
ଫେବ୍ରୁଆରି ୨ ତାରିଖ ରବିବାର ଦିନ ଏକ ବିବୃତିରେ ଏଫ୍ଆଇଏ ରିପୋର୍ଟ କରିଛି ଯେ କରାଚି ବିମାନବନ୍ଦରରେ ଏକ ବଡ଼ ଅପରେସନରେ ଉମରା ଯିବା ବାହାନାରେ ଭିକ ମାଗିବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧମାନେ ଧରାପଡ଼ିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବ୍ୟକ୍ତିମାନେ ଅନେକ ମାସ ଧରି ସାଉଦି ଆରବରେ ଭିକ ମାଗୁଥିଲେ। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତଙ୍କୁ କରାଚି ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ସେଲକୁ ସ୍ଥାନାନ୍ତର କରାଯାଇଛି।
ବିମାନବନ୍ଦରରେ ଇମିଗ୍ରେସନ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ଏଫ୍ଆଇଏ କହିଛି। ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବା ସହ ଭିକାରିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।