ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ଇତିହାସ ରଚିଥିଲା। ପ୍ରାୟ ୭ ମାସ ତଳେ ଭାରତର ପୁରୁଷ ସିନିୟର ଦଳ ୨୦୨୪ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ତେବେ ବିସିସିଆଇ ଏବେ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳର ପୁରସ୍କାର ରାଶି ଘୋଷଣା କରିଛି। ଏହି ବିଜୟ ଭାରତୀୟ ଦଳ ପାଇଁ ବିଶେଷ ଥିଲା କାରଣ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ କେହି ସେମାନଙ୍କୁ ପରାସ୍ତ କରିପାରିନଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତର ବିଜେତା ଦଳ ପାଇଁ ୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
ବିସିସିଆଇ ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରି କହିଛି, ବିସିସିଆଇ ଭାରତୀୟ ୧୯ ବର୍ଷରୁ କମ୍ ମହିଳା ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହୋଇଥିବାରୁ ଅଭିନନ୍ଦନ ଜଣାଉଛି। ଏହି ଐତିହାସିକ ସଫଳତାକୁ ସମ୍ମାନ ଜଣାଇ ବିସିସିଆଇ ବିଜେତା ଦଳ ଓ ସପୋର୍ଟ ଷ୍ଟାଫଙ୍କୁ ୫ କୋଟି ଟଙ୍କାର ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି।
ଏହି ଟୁର୍ଣ୍ଣାମେଣ୍ଟ ଭାରତର ୧୯ ବର୍ଷରୁ କମ୍ ମହିଳା ଦଳ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା। ଗ୍ରୁପ୍ 'ଏ'ରେ ରହି ପ୍ରଥମେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଆୟୋଜକ ମାଲେସିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳ ତିନୋଟି ଯାକ ମ୍ୟାଚ୍ ଜିତି ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲା। ସୁପର-୬ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ୪ଟି ଯାକ ମ୍ୟାଚ୍ ଜିତି ଗ୍ରୁପ୍ ର ଶୀର୍ଷରେ ରହିଛି। ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଚାମ୍ପିଅନସିପ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଟାଇଟଲ ହାସଲ କରିଥିଲା।
ସୂଚନାଯୋଗ୍ୟ, ୨୦୨୩ରେ ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ବକପ୍ ଆୟୋଜନ ହୋଇଥିଲା। ଦୁଇ ବର୍ଷ ତଳେ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ପତାକା ଉତ୍ତୋଳନ କରିଥିଲା। ଏବେ ୨୦୨୫ରେ ଟିମ୍ ଇଣ୍ଡିଆ ଟାଇଟଲ୍ ବଜାୟ ରଖିଛି।
BCCI announce prize money team India under-19 womens T20 world cup champion