ବିଦାୟ ନେଇଛି ବର୍ଷ 2022 । ଆରମ୍ଭ ହୋଇଛି ନୁଆବର୍ଷର ନୂଆ ସକାଳ । ନୂଆ ଆଶା, ନୂଆ ଉତ୍ସାହ ନେଇ ପଦାର୍ପଣ କରିଛି ନୂଆବର୍ଷ 2023 । ସାରା ବିଶ୍ବ ନୂଆ ବର୍ଷକୁ କରିଛି ଅଭିନନ୍ଦନ । ଓଡିଶାରେ ବି ଦେଖିବାକୁ ମିଳିଛି ନୂଆବର୍ଷର ଉତ୍ସାହ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜି କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ୱ ସମେତ ଓଡ଼ିଶାବାସୀ । ଦୁଇବର୍ଷ ଧରି କରୋନା ଭଳି ମହାମାରୀକୁ ସାମ୍ନା କରିବା ପରେ 2022 ରେ ଜନଜୀବନ ସ୍ୱାଭାବିତ ହୋଇଥିଲା । 2023 ମଧ୍ୟ ଠିକ୍ ସେହିପରି ହେବା ନେଇ ଆଶା ବାନ୍ଧିଛନ୍ତି ଛୋଟଠୁ ବଡ଼ ।
ନୂଆ ବର୍ଷକୁ ସ୍ୱାଗତ ପାଇଁ ଅନେକ ଜାଗାରେ ଜିରୋ ନାଇଟ୍ ସେଲିବ୍ରେସନ୍ କରାଯାଇଛି । ଏହାସହ ଦେବପୀଠ, ପର୍ଯ୍ୟଟନସ୍ଥଳିରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇ ନୂଆ ରୂପରେ ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ପରସ୍ପରକୁ ଦେଉଛନ୍ତି ପ୍ରତିଶୃତି । ସାଙ୍ଗସାଥୀ, ପରିବାର ଓ ପ୍ରିୟଜନଙ୍କ ମେଳରେ ହସଖୁସି, ଭୋଜିଭାତ ଓ ନାଚଗୀରେ ବିତିଥିଲା ସମୟ । ରାଜଧାନୀ ଭୁବନେଶ୍ୱର, ଶୀକ୍ଷେତ୍ର ପୁରୀ, ରୌପ୍ୟନଗରୀ କଟକ ସମେତ ଗାଁଠୁ ସହର ଯାଏଁ ଦେଖିବାକୁ ମିଳିଥିଲା ଆନନ୍ଦ ଓ ଉତ୍ସାହ। ବେଳାଭୂମି, ମନ୍ଦିର, ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା । ଏହାରି ଭିତରେ ସାରା ଓଡ଼ିଶା ସମେତ ସାରା ବିଶ୍ୱ ନୂଆ ବର୍ଷର ନୂଆ ସକାଳକୁ ସ୍ୱାଗତ କରିଛନ୍ତି ।