ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିସ୍ରି ଦୁବାଇ ଗସ୍ତ କରିଛନ୍ତି। ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନ ସରକାରଙ୍କ ସହ ଭାରତର ପ୍ରଥମ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ଦୁବାଇରେ ସେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମୌଲବୀ ଅମୀର ଖାନ୍ ମୁତ୍ତାକିଙ୍କୁ ଭେଟିଛନ୍ତି।
ଏହି ସମୟରେ ଦ୍ୱିପାକ୍ଷିକ ସମ୍ପର୍କଠାରୁ ଆରମ୍ଭ କରି ଆଞ୍ଚଳିକ ବିକାଶ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରେ ଭାରତର ସୁରକ୍ଷା ଚିନ୍ତା, ନିକଟ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ବିକାଶ ମୂଳକ ପ୍ରକଳ୍ପ ଉପରେ ବିଚାର କରିବାର ଆବଶ୍ୟକତା ଏବଂ ପାକିସ୍ତାନରୁ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଥଇଥାନରେ ସହାୟତା ଉପରେ ଆଲୋଚନା ହୋଇଛି। କିନ୍ତୁ ଇରାନର ଚାବାହାର ବନ୍ଦରର ବ୍ୟବହାର ଏବଂ ଦୁଇ ଦେଶ ମଧ୍ୟରେ କ୍ରିକେଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଆଫଗାନିସ୍ତାନ ସରକାର ଭାରତର ନିରାପତ୍ତା ଚିନ୍ତାକୁ ଦୃଷ୍ଟିରେ ରଖିଥିଲେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ ମାଟିରୁ ଭାରତ ବିରୋଧୀ ଆତଙ୍କବାଦୀ ସଙ୍ଗଠନକୁ ଆଗକୁ ବଢିବାରୁ ରୋକିବା ଭାରତର ସବୁଠାରୁ ବଡ ଚିନ୍ତା। ଆଫଗାନିସ୍ତାନ ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ତାଲିବାନ ଜୋର ଦେଇ କହିଛି।
ଏହି ଅବସରରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଭାରତ ଓ ଆଫଗାନିସ୍ତାନର ଲୋକଙ୍କ ମଧ୍ୟରେ ଥିବା ଐତିହାସିକ ବନ୍ଧୁତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଭୟ ପକ୍ଷ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ମାନବିକ ସହାୟତା କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରିଥିଲେ। ଏଥିପାଇଁ ଆଫଗାନିସ୍ତାନ ମନ୍ତ୍ରୀ ମଧ୍ୟ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି।
ଅଧିକ ପଢ଼ନ୍ତୁ: ଧରାଶୟୀ ହେଲା କୋର୍ଟ ସମ୍ମୁଖରେ ନିର୍ମିତ ଦୋକାନ