ରାଞ୍ଚି: ଝାଡ଼ଖଣ୍ଡର ଲାତେହାର ଅଧିନ ଇଚୱାର ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ଶନିବାର ଦିନ ସକାଳୁ ବଡ଼ ଅପରେସନ ଆରମ୍ଭ କରିଛନ୍ତି। ଏହି ଅପରେସନ ମାଧ୍ୟମରେ ସୁରକ୍ଷା ବାହିନୀ ନକ୍ସଲ ସଂଗଠନ ‘ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ’ର ଦୁଇ ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ନିପାତ କରିଛନ୍ତି। କୁହାଯାଉଛି ଯେ ନିହତ ନକ୍ସଲଙ୍କ ମଧ୍ୟରୁ ଜଣଙ୍କ ଉପରେ ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।
ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀର ଗୁଳିରେ ଆଉ ଜଣେ ମାଓବାଦୀ ଆହତ ହୋଇଛି। ସଂପୃକ୍ତ ମାଓବାଦୀକୁ ଗିରଫ କରାଯାଇଛି ଏବଂ ତା'ଠାରୁ ଏକ ଇନ୍ସାସ୍ ରାଇଫଲ ଜବତ କରାଯାଇଛି। କୁହାଯାଉଛି ଯେ ସୁରକ୍ଷା ବାହିନୀ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ବହନ କରୁଥିବା ପପୁ ଲୋହାରା ଏବଂ ୫ ଲକ୍ଷ ଟଙ୍କାର ପୁରସ୍କାର ବହନ କରୁଥିବା ପ୍ରଭାତ ଗଞ୍ଜୁଙ୍କୁ ହତ୍ୟା କରିଛନ୍ତି।
ପୋଲିସ କହିଛି, ଦୁହେଁ କୁଖ୍ୟାତ ନକ୍ସଲ ସଂଗଠନ ‘ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ’ର ନେତା ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ଅପରେସନ୍ ଜାରି ରହିଛି। ଲାତେହାର ଏସପି କୁମାର ଗୌରବଙ୍କ ନେତୃତ୍ୱରେ ପୋଲିସ ଏକ ଅପରେସନରେ ଥିଲା। ଏହି ଅପରେସନରେ ସିଆରପିଏଫ ଏବଂ ଝାଡ଼ଖଣ୍ଡ ପୋଲିସ ଦଳ ସାମିଲ ଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମାଓବାଦୀମାନଙ୍କୁ ୨୦୨୬ ମାର୍ଚ୍ଚ ସୁଦ୍ଧା ସଫା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ପୋଲିସର ସହାୟତାରେ କେନ୍ଦ୍ରୀୟ ପୋଲିସ ବଳ ଅପରସନକୁ ତୀବ୍ର କରିଦେଇଛି। ଗତ ବୁଧବାର ଦିନ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତରେ ସୁରକ୍ଷା ବାହିନୀର ବଡ଼ଧରଣର ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ଅପରେସନ ବେଳେ ସୁରକ୍ଷା ବାହିନୀର ଗୁଳିଚୋଟରେ ୨୭ ଜଣ ମାଓବାଦୀ ଟଳିପଡ଼ିଥିଲେ, ଯେଉଁଥିରେ କୁଖ୍ୟାତ କ୍ୟାଡର ବାସବରାଜୁ ମଧ୍ୟ ସାମିଲ ଥିଲା। ଗତକାଲି ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ଗଡ଼ଚିରୋଲିରେ ୫ ଜଣ ମାଓବାଦୀ ନିପାତ ହୋଇଥିବା ବେଳେ ଆଜି ସକାଳୁ ମାଲକାନଗିରି ସୀମାନ୍ତ ବିଜାପୁରରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ଆଜି