ଜୟପୁର: ରାଜସ୍ଥାନର ଭିଲୱାଡାସ୍ଥିତ ‘ସ୍ୱସ୍ତି ଧାମ ଜୈନ ମନ୍ଦିର’ରୁ ବଡ଼ଧରଣର ଚୋରି ହୋଇଚି। ମନ୍ଦିର କମିଟିର ସଂପାଦକ ପାରସ ଜୈନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାତି ପ୍ରାୟ ୧ଟା ସମୟରେ ଚୋରି ଘଟିଥିଲା। ଏହା କେବଳ ସାଧାରଣ ଚୋରି ନୁହେଁ। ବରଂ ଜୈନ ସମ୍ପ୍ରଦାୟର ବିଶ୍ୱାସ ଉପରେ ଆକ୍ରମଣ। ସେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଚିନ୍ତା ପ୍ରକାଶ କରିବା ସହିତ ପ୍ରଶାସନକୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଜୈନ ମନ୍ଦିର କମିଟି ବ୍ୟକ୍ତିଗତ ସ୍ତରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ, ସମଗ୍ର ପରିସରରେ ସିସି କ୍ୟାମେରା ଲଗାଯାଇଥିଲା। କିନ୍ତୁ ଚୋରମାନେ ମନ୍ଦିରରେ ପଶି ଚୋରି କରିଥିଲେ।
ମନ୍ଦିର କମିଟିର ଅଭିଯୋଗ କ୍ରମେ ଅଜ୍ଞାତ ଚୋରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ରାଜକୁମାର ନାୟକ ସୂଚନା ଦେଇଛନ୍ତି। ସ୍ୱସ୍ତି ଧାମ ଜୈନ ମନ୍ଦିରରେ କୋଟିଏ ଟଙ୍କାରୁ ଅଧିକ ସାମଗ୍ରୀ ଚୋରି ଘଟଣା ଘଟିଥିବା ସ୍ଥାନକୁ ମଧ୍ୟ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରି ଘଟଣା କଏଦ ହୋଇଛି, ଯାହା ଆଧାରରେ ପୋଲିସ ସିସିଟିଭି ଫୁଟେଜରେ କଏଦ ହୋଇଥିବା ଚୋରକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ଏବଂ ଆଖପାଖ ଅଞ୍ଚଳରେ ସନ୍ଦିଗ୍ଧ ଲୋକଙ୍କୁ ପଚରାଉଚରା କରାଯାଉଛି।
ଉଲ୍ଲେଖନୀୟ ଯେ ମୁନି ସୁବର୍ତ୍ତନାଥଙ୍କ ଏହି ମୂର୍ତ୍ତି ୨୦୧୩ ମସିହାରେ ଜାହାଜପୁର ସହରର ଆଶାପୁରା ମାତାଜୀ ଅଞ୍ଚଳରେ ଏକ ମୁସଲିମ ପରିବାରର ଘର ଖନନ ସମୟରେ ମିଳିଥିଲା। ଏହା ପରେ ସ୍ଥାନୀୟ ଜୈନ ସମ୍ପ୍ରଦାୟ ଏକ ମନ୍ଦିର ନିର୍ମାଣ କରିଥିଲେ ଏବଂ ସ୍ୱସ୍ତି ଧାମରେ ଏହି ମୂର୍ତ୍ତିକୁ ସ୍ଥାପନ କରିଥିଲେ। ଆଜି ଏହି ମନ୍ଦିର ଜୈନ ସମ୍ପ୍ରଦାୟ ପାଇଁ ଗଭୀର ବିଶ୍ୱାସ ଏବଂ ଭକ୍ତିର କେନ୍ଦ୍ର ପାଲଟିଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ପର୍ଦ୍ଦାଫାଶ କରିବାକୁ ପ୍ରତିଶ୍ରୁତି ଦେଲା ଶଶି ଥରୁରଙ୍କ ଦଳ