ମସ୍କୋ: ଗତ ତିନି ବର୍ଷ ଧରି ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଲକ୍ଷ୍ୟରେ ତୁର୍କୀରେ ଆଲୋଚନା ହେବ। ଆଜି ହେବାକୁ ଥିବା ରୁଷ-ୟୁକ୍ରେନ ଆଲୋଚନା ଉପରେ ସାରା ବିଶ୍ୱର ନଜର ରହିଛି। ରିପୋର୍ଟ ଅନୁଯାୟୀ ପୁଟିନ ଏହି ଆଲୋଚନାରୁ ଦୂରେଇ ରହିବେ। ରୁଷ-ୟୁକ୍ରେନ ଆଲୋଚନା ପାଇଁ ପ୍ରତିନିଧିମଣ୍ଡଳୀ ଘୋଷଣା କରାଯାଇଛି।
ପୁଟିନ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଅଧିକାରୀମାନଙ୍କୁ ଘୋଷଣା କରିଥିଲେ।ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ତୁର୍କୀରେ ଅନୁଷ୍ଠିତ ହେବାକୁ ଥିବା ୟୁକ୍ରେନ ସହ ନୂତନ ଆଲୋଚନାରେ ରୁଷର ପ୍ରତିନିଧିତ୍ୱ କରୁଥିବା ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି। କ୍ରେମଲିନ୍ ସହଯୋଗୀ ଭ୍ଲାଦିମିର ମେଡିନସ୍କି ରୁଷ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ, ଯେଉଁଥିରେ ଉପବୈଦେଶିକ ମନ୍ତ୍ରୀ ମିଖାଏଲ ଗାଲୁଜିନ୍, ଉପ-ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡର ଫୋମିନ୍ ଏବଂ ରୁଷ ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍ ମୁଖ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ ଇଗୋର କୋଷ୍ଟିୟୁକୋଭ୍ ସାମିଲ ହେବେ।
ସୂଚନାଯୋଗ୍ୟ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହିତ ସିଧାସଳଖ ଆଲୋଚନା ପାଇଁ ୟୁକ୍ରେନକୁ ପ୍ରସ୍ତାବ ଦେଇ କହିଛନ୍ତି, ଏହି ଆଲୋଚନା 'କୌଣସି ବିଳମ୍ବ ନକରି' ମେ ୧୫ରୁ ଆରମ୍ଭ ହେବ। ରୁଷ ରାଷ୍ଟ୍ରପତି ମେ ୧୫ରେ ତୁର୍କୀର ଇସ୍ତାନବୁଲରେ ୟୁକ୍ରେନ ସହିତ ଆଲୋଚନା ପାଇଁ କୌଣସି ପୂର୍ବ ସର୍ତ୍ତ ରଖିନାହାଁନ୍ତି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଠାରୁ ପ୍ରଥମ ଥର ପାଇଁ ଏପରି ପ୍ରସ୍ତାବ ଆସିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଗତ ୩୯ ମାସ ଧରି (୨୦୨୨ ଫେବ୍ରୁଆରୀ) ଯୁଦ୍ଧ ଜାରି ରହିଛି। ଉଭୟ ପାର୍ଶ୍ୱରେ, ବିଶେଷକରି ୟୁକ୍ରେନରେ, ପ୍ରଚୁର ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଛି।
ପୁଟିନ ଏକ ଭାଷଣରେ କହିଥିଲେ ଯେ ରୁଷ ୟୁକ୍ରେନ ସହିତ ସଂଘର୍ଷର ମୂଳ କାରଣଗୁଡ଼ିକୁ ସମାଧାନ କରି ଏକ ସ୍ଥାୟୀ ଶାନ୍ତି ଆଡକୁ ଯିବା ପାଇଁ ଗମ୍ଭୀର ଆଲୋଚନା ଚାହୁଁଛି। ୟୁକେ ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ଗସ୍ତ କରିବାର କିଛି ଘଣ୍ଟା ପରେ ଏହି ବିବୃତ୍ତି ଆସିଥିଲା। ଏହି ନେତାମାନେ ରୁଷକୁ ନିଃସର୍ତ୍ତ ୩୦ ଦିନିଆ ଅସ୍ତ୍ରବିରତିରେ ରାଜି ହେବାକୁ ଅନୁରୋଧ କରିଥିଲେ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମସ୍କୋ ଏହା ଉପରେ ବିଚାର କରିବ କିନ୍ତୁ କୌଣସି ଚାପର ବଶବର୍ତ୍ତୀ ହେବ ନାହିଁ।
ପୁଟିନ ତାଙ୍କ ବିବୃତ୍ତିରେ କହିଥିଲେ ଯେ ଇସ୍ତାନବୁଲରେ ଆଲୋଚନା ମାଧ୍ୟମରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଏବଂ ଶାନ୍ତି ଚୁକ୍ତିନାମା ହେବାର ସମ୍ଭାବନାକୁ ସେ ଅସ୍ୱୀକାର କରୁନାହାଁନ୍ତି।
ଅଧିକ ପଢ଼ନ୍ତୁ: ୱାକଫ ସଂଶୋଧନ ଆଇନ ବିରୋଧରେ ଆବେଦନ ଉପରେ ଶୁଣାଣି ଆଜି