ବ୍ରିସ୍ବେନ୍: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଆଜି ଠାରୁ ଆରମ୍ଭ ହୋଇଟାଇଛି। ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୫ଟା ୫୦ରେ ଆରମ୍ଭ ହୋଇଛି। ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବେଳେ ଘରୋଇ ଟିମ୍ ବ୍ୟାଟିଂ କରୁଛି। ତେବେ ଏହି ମ୍ୟାଚ୍ରେ ବର୍ଷା ଖଳନାୟକ ପାଲଟିଛି। ରହିରହି ବର୍ଷା ହେଉଥିବାରୁ ମ୍ୟାଚ୍ ପ୍ରଭାବିତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଅଷ୍ଟ୍ରେଲିଆର ସ୍କୋର ବିନା କୌଣସି ୱିକେଟ୍ରେ ୨୮ ରନ୍ ସଂଗ୍ରହ ହୋଇଛି। ଉସ୍ମାନ୍ ଖୱାଜ୍ ଓ ନାଥାନ୍ ମ୍ୟାକ୍ ସ୍ବିନି କ୍ରିଜ୍ରେ ଅଛନ୍ତି। ଭାରତୀୟ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହ ବୋଲି କରିଛନ୍ତି।
ତୃତୀୟ ଟେଷ୍ଟ ପାଇଁ ଭାରତ ତା'ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ହର୍ଷିତ ରାଣା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଓ ଆକାଶ ଦୀପଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଦିଆଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ସ୍କଟ୍ ବୋଲାଣ୍ଡଙ୍କୁ ବାଦ୍ ଦେଇ ଜୋସ୍ ହେଜଲଉଡ୍ଙ୍କୁ ସାମିଲ କରିଛି।
ସୂଚନାଯୋଗ୍ୟ, ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ଓ ଅଷ୍ଟ୍ରେଲିଆ ଏବେ ୧-୧ରେ ଅଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଟିମ୍ ଇଣ୍ଡିଆ ୨୯୫ ରନ୍ରେ ଜିତିଥିବା ବେଳେ କଙ୍ଗାରୁ ଟିମ୍ ଆଡିଲେଡ୍ ପିଙ୍କ୍ ବଲ୍ ଟେଷ୍ଟ୍କୁ ୧୦ ୱିକେଟ୍ରେ ଜିତିଥିଲେ।
ବ୍ରିସବେନର ଗାବା ପଡ଼ିଆରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୬ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବେଳେ ସେଥିରୁ ୫ ଥର ଆୟୋଜକ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ସେମାନଙ୍କ ମଧ୍ୟରୁ ଗୋଟିଏ ମ୍ୟାଚ୍ ଡ୍ରରେ ରହିଥିଲେ ହେଁ ୨୦୨୧ରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ ମୁକାବିଲାରେ ଟିମ୍ ଇଣ୍ଡିଆ ୩ ଓ୍ଵିକେଟରେ ବିଜୟୀ ହୋଇଥିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ ଦୁଇ ଦେଶର ହେଡ୍ ଟୁ ହେଡ୍ ରେକର୍ଡକୁ ଦେଖିଲେ ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୦୯ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଅଷ୍ଟ୍ରେଲିଆ ୪୬ ଥର ଏବଂ ଭାରତ ୩୩ ଥର ବିଜୟୀ ହୋଇଛି।
ଇତିହାସ ଦର୍ଶାଉଛି ଯେ ଗାବାରେ ପିଚ୍ ଦ୍ରୁତ ବୋଲିଂ ସହିତ ସମାନ ରହିଛି ଏବଂ ପ୍ରଥମେ ବୋଲିଂ କରୁଥିବା ଭାରତ ପ୍ରଥମ ଇନିଂସରେ ଯଥାଶୀଘ୍ର ୱିକେଟ୍ ନେବାକୁ ଚାହିଁବ। ଏହାବ୍ୟତୀତ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିଥିବାରୁ ଭାରତୀୟ ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇପାରେ, କିନ୍ତୁ କେଏଲ୍ ରାହୁଲ ଓପନିଂରେ ବିଶେଷ ପ୍ରଭାବଶାଳୀ ସାବ୍ୟସ୍ତ ହୋଇନଥିଲେ। ସକ୍ରିୟ ଖେଳାଳିଙ୍କ ମଧ୍ୟରୁ ଗାବା ପଡ଼ିଆରେ ସର୍ବାଧିକ ୱିକେଟ୍ ନେଇଥିବା ନାଥାନ୍ ଲିଓନ୍ ରହିଛନ୍ତି।
ଅଧିକ ପଢ଼ନ୍ତୁ: ବୋକାରୋରେ ବୋଲେରୋ ଓ ଟ୍ରାକ୍ଟର-ଟ୍ରଲର ମୁହାଁମୁହିଁ ଧକ୍କା