ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ କଂପାନୀଗୁଡ଼ିକ ଦ୍ୱାରା ଆନ୍ତଃରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରାଯିବା ଫଳରେ ଓଡ଼ିଶା, ଛତିଶଗଡ଼ ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ସେହିପରି ଦୀର୍ଘ ୭ ବର୍ଷ ଧରି ବିଚାରାଧୀନ ମାମଲାର ସମାଧାନ ପରେ କଂପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ଡିଲରମାନଙ୍କୁ ଦିଆଯାଉଥିବା କମିସନ ଲିଟର ପିଛା ୬୫ ପଇସା ଓ ଡିଜେଲ ଉପରେ ଲିଟର ପିଛା ୪୪ ପଇସା ବୃଦ୍ଧି କରିଛନ୍ତି।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛି, ଡିଲର ମାର୍ଜିନ୍ (ଆଜିଠାରୁ ଲାଗୁ) ସଂଶୋଧନ ଘୋଷଣା କରି କମ୍ପାନୀ ଆନନ୍ଦିତ। ଉତ୍ପାଦର ଖୁଚୁରା ବିକ୍ରୟ ମୂଲ୍ୟ ଉପରେ ଏହା କୌଣସି ଅତିରିକ୍ତ ପ୍ରଭାବ ପକାଇବ ନାହିଁ। ବର୍ତ୍ତମାନ ଡିଲରମାନଙ୍କୁ ପେଟ୍ରୋଲ ଉପରେ କିଲୋଲିଟର ପିଛା ୧୮୬୮.୧୪ ଟଙ୍କା କମିଶନ ଏବଂ ୦.୮୭୫ ପ୍ରତିଶତ ଅବକାରୀ ବିଲେବଲ୍ ମୂଲ୍ୟ ଦିଆଯାଉଛି। ଡିଜେଲ ଉପରେ କିଲୋଲିଟର ପିଛା ୧୩୮୯.୩୫ ଟଙ୍କା ଏବଂ ଉତ୍ପାଦିତ ମୂଲ୍ୟର ୦.୨୮ ପ୍ରତିଶତ କମିଶନ ପ୍ରଦାନ କରାଯାଏ।
ଡିଲର କମିଶନ ବୃଦ୍ଧି ସହିତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ କଲ୍ୟାଣ ସହ ଉନ୍ନତ ଗ୍ରାହକ ସେବା ମାନ ବୃଦ୍ଧି ପାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଆନ୍ତଃରାଜ୍ୟ ମାଲ ପରିବହନ ଦରକୁ ଯୁକ୍ତିଯୁକ୍ତ କରିବା ପାଇଁ କଂପାନୀ କାର୍ଯ୍ୟ ଆରମ୍ଭ କରିଛି, ଯାହା ରାଜ୍ୟ ଭିତରେ ଖୁଚୁରା ବିକ୍ରୟ ମୂଲ୍ୟର ପାର୍ଥକ୍ୟକୁ ହ୍ରାସ କରିବ। ତେବେ ଯେଉଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ରହିଛି ସେଠାରେ ଏହି ହ୍ରାସ ଲାଗୁ ହେବ ନାହିଁ। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କଂପାନୀଗୁଡ଼ିକର ଏହି ଘୋଷଣାକୁ ଧନତେରସ ଉପହାର ବୋଲି ବର୍ଣ୍ଣନା କରିଛନ୍ତି।
ଧନତେରସ୍ ପବିତ୍ର ଅବସରରେ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ପମ୍ପ ଡିଲରମାନଙ୍କୁ ଦିଆଯାଇଥିବା ଉପହାରକୁ ହୃଦୟରୁ ସ୍ୱାଗତ କରାଯାଇଛି। ଦୀର୍ଘ ୭ ବର୍ଷର ଦାବି ପୂରଣ ହୋଇଛି। ସେ କହିଛନ୍ତି ଯେ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବା ଦ୍ୱାରା ଦୁର୍ଗମ ସ୍ଥାନରେ (ତୈଳ ବିପଣନ କମ୍ପାନୀଗୁଡିକର ପେଟ୍ରୋଲ ଏବଂ ଡିଜେଲ ଡିପୋ ଦୂରରେ) ରହୁଥିବା ଉପଭୋକ୍ତାମାନେ ଉପକୃତ ହେବେ, ଯାହା ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ।
ଓଡ଼ିଶାର ମାଲକାନଗିରିର କୁନାନପଲ୍ଲୀ ଓ କାଲିମେଳାର ଉଦାହରଣ ଦେଇ ପୁରୀ କହିଛନ୍ତି, ଯେଉଁଠାରେ ପେଟ୍ରୋଲ ଦର ଯଥାକ୍ରମେ ୪ ଟଙ୍କା ୬୯ ପଇସା ଓ ୪ ଟଙ୍କା ୫୫ ପଇସା ଏବଂ ଡିଜେଲ ଦର ଯଥାକ୍ରମେ ୪ ଟଙ୍କା ୪୫ ପଇସା ଓ ୪ ଟଙ୍କା ୩୨ ପଇସା ହ୍ରାସ ପାଇବ। ସେହିପରି ଛତିଶଗଡ଼ର ସୁକମାରେ ପେଟ୍ରୋଲ ଦର ୨ ଟଙ୍କା ୦୯ ପଇସା ଓ ଡିଜେଲ ଦର ୨ ଟଙ୍କା ୦୨ ପଇସା ହ୍ରାସ ପାଇଛି।
ଅଧିକ ପଢ଼ନ୍ତୁ: ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ ସ୍କୁଲ