କାବୁଲ: ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ପାକଟିକା ପ୍ରଦେଶରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଦୁଇ ଶିଶୁ ସମେତ ଛଅ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନ ଆକ୍ରମଣ ଦେଶର ଅର୍ଗାନ ଏବଂ ବର୍ମାଲ ଜିଲ୍ଲାର ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଥିଲା, ଯାହା ଫଳରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଛଅ ଜଣ ମହିଳା ଏବଂ ଜଣେ ଶିଶୁ ଅନ୍ତର୍ଭୁକ୍ତ। ସାଧାରଣ ନାଗରିକଙ୍କ ଘର ଟାର୍ଗେଟ କରାଯାଇଥିଲା।
ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। କିଛି ଦିନର ଭୟଙ୍କର ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଚୁକ୍ତିନାମା ମଧ୍ୟରେ ଏହି ଆକ୍ରମଣ ହୋଇଛି। ପୂର୍ବରୁ ପାକିସ୍ତାନ ଉତ୍ତେଜନା ହ୍ରାସ ଏବଂ ହିଂସା ରୋକିବା ପାଇଁ ଚାଲିଥିବା ଦୋହା ଆଲୋଚନା ଶେଷ ହେବା ପର୍ଯ୍ୟନ୍ତ ଅସ୍ତ୍ରବିରତିକୁ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲା। ଶନିବାର ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମୌଲଭି ମହମ୍ମଦ ୟାକୁବ ମୁଜାହିଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଶନିବାର ଦୋହା ଯିବାର ଆଶା କରାଯାଉଛି। ଏହି ସମୟରେ ଟୋଲୋ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ଗଠିତ ପାକିସ୍ତାନୀ ପ୍ରତିନିଧି ଦଳ ଆଲୋଚନା ପାଇଁ ପୂର୍ବରୁ ଦୋହାରେ ପହଞ୍ଚି ସାରିଛନ୍ତି।
ବୁଧବାର ପୂର୍ବରୁ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଘୋଷଣା କରିଥିଲା ଯେ ଉଭୟ ପକ୍ଷ ମଧ୍ୟରେ ସୀମାପାର ସଂଘର୍ଷ ପରେ ଆଗାମୀ ୪୮ ଘଣ୍ଟା ପାଇଁ ଆଫଗାନିସ୍ତାନ ସହିତ ଏକ ଅସ୍ଥାୟୀ ଯୁଦ୍ଧବିରତି ହୋଇଛି।
ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଅନୁଯାୟୀ ତାଲିବାନର ଅନୁରୋଧରେ ଉଭୟ ପକ୍ଷର ପାରସ୍ପରିକ ସମ୍ମତିରେ ଆଜି ସନ୍ଧ୍ୟା 6ଟାରୁ ଆଗାମୀ ୪୮ ଘଣ୍ଟା ପାଇଁ ପାକିସ୍ତାନ ସରକାର ଏବଂ ଆଫଗାନିସ୍ତାନ ତାଲିବାନ ଶାସନ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ: କଂଗ୍ରେସର ବହୁ ଷ୍ଟାର୍ ପ୍ରଚାରକ ତାଲିକା ଜାରି