ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ନିଯୁକ୍ତି ପାଇଁ ୭୧,୦୦୦ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏହି ନିଯୁକ୍ତି ମେଳା ଏକ ପଦକ୍ଷେପ।
ସକାଳ ପ୍ରାୟ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମସଶକ୍ତୀକରଣରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଦେଶର ୪୫ଟି ସ୍ଥାନରେ ଏହା ଅନୁଷ୍ଠିତ ହେବ। ଯେଉଁ ସବୁ ମନ୍ତ୍ରାଳୟ ଓ ବିଭାଗ ପାଇଁ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯିବ ସେଗୁଡ଼ିକ ହେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆର୍ଥିକ ସେବା ବିଭାଗ।
ଗ୍ରାମାଞ୍ଚଳରେ ଥିବା ସମ୍ପତ୍ତିର ଡ୍ରୋନ୍ ସର୍ଭେ କରି ସରକାର ଗ୍ରାମବାସୀଙ୍କୁ ସେମାନଙ୍କ ସମ୍ପତ୍ତିର ମାଲିକାନା କାର୍ଡ ଦେଉଛନ୍ତି। ୨୦୨୦ ମସିହାରେ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଏବେ ବହୁ ସଂଖ୍ୟକ ମାଲିକାନା ସମ୍ପତ୍ତି କାର୍ଡ ସୃଷ୍ଟି କରାଯାଇଛି। ଡିସେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ୫୭ ଲକ୍ଷ ସମ୍ପତ୍ତିର କାର୍ଡ ବଣ୍ଟନ କରିବେ।
ଏଥିସହ ସେ ଏହି ଯୋଜନାର କିଛି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ସ୍ବାମୀତ୍ବ ଯୋଜନାରେ ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖର ୪୬,୩୫୧ଟି ଗାଁରେ ୫୭ ଲକ୍ଷ ସମ୍ପତ୍ତି ପାଇଁ କାର୍ଡ ପ୍ରସ୍ତୁତ କରିଛି।
ଭର୍ଚୁଆଲ ମାଧ୍ୟମରେ ବଣ୍ଟନ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ କିଛି ହିତାଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଯୋଜନା ବିଷୟରେ ସେମାନଙ୍କ ଅନୁଭୂତି ଜାଣିବାକୁ ପାଇବେ। ଏହା ସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ।