ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଝାଡ଼ଖଣ୍ଡ, ଗୁଜରାଟ ଓ ଓଡ଼ିଶା ଗସ୍ତ କରିବେ। ଏହି ୩ ରାଜ୍ୟକୁ ଗସ୍ତ କାଳରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି କ୍ରମରେ ସେ ଆଜି ସେ ଝାଡ଼ଖଣ୍ଡର ଟାଟାନଗର ଜଙ୍କସନ୍ ରେଳ ଷ୍ଟେସନରେ ଟାଟାନଗର-ପାଟନା ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।
ଏହାବ୍ୟତୀତ ସେ ଟାଟାନଗରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜର)ର ୨୦,୦୦୦ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀ କୁର୍କୁରା-କାନାରୋନ୍ ଦୋହରୀକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ପୂର୍ବ ଭାରତର ବିଭିନ୍ନ ସହରକୁ ସଂଯୋଗ କରୁଥିବା ୬ଟି ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ମଧୁ କୋଡା ଓ ଚମ୍ପାଇ ସୋରେନ୍ ଉପସ୍ଥିତ ରହିବେ।
ସେପ୍ଟେମ୍ବର ୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟ ଗସ୍ତରେ ଯିବେ, ଯେଉଁଠାରେ ସେ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ଏକ୍ସପୋ (ରି-ଇନଭେଷ୍ଟ ୨୦୨୪)କୁ ଉଦଘାଟନ କରିବେ। ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ସେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳଲାଇନ୍ ଚତୁର୍ଗୁଣ, ସଡ଼କ ବିକାଶ, ସୌର ଶକ୍ତି ପଦକ୍ଷେପ ଏବଂ ଆର୍ଥିକ ସେବା ପାଇଁ ସିଙ୍ଗଲ ୱିଣ୍ଡୋ ଆଇଟି ସିଷ୍ଟମ୍ର ଶୁଭାରମ୍ଭ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ପିଏମଏୱାଇ-ଗ୍ରାମୀଣ ଅଧୀନରେ ୩୦,୦୦୦ରୁ ଅଧିକ ପରିବାରକୁ ମଞ୍ଜୁରୀ ଦେବେ ଏବଂ ଭୁଜରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଭାରତର ପ୍ରଥମ ବନ୍ଦେ ମେଟ୍ରୋ ସହିତ ଅନେକ ନୂତନ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତ ହେବ। ସେ ରାଜ୍ୟର ପ୍ରମୁଖ ମହିଳା କେନ୍ଦ୍ରୀତ ଯୋଜନା 'ସୁଭଦ୍ରା'ର ଶୁଭାରମ୍ଭ କରିବେ, ଯେଉଁଥିରେ ଏକ କୋଟିରୁ ଅଧିକ ମହିଳା ଉପକୃତ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୧୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ।
ଅଧିକ ପଢ଼ନ୍ତୁ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ବଡ ଆକ୍ସନ