କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜୁନିୟର ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିବିଆଇ ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି । ତାଙ୍କୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏହା ପୂର୍ବରୁ ସିବିଆଇ ଏହି ପୂର୍ବତନ ଅଧ୍ୟକ୍ଷଙ୍କୁ ଆର୍ଥିକ ଅନିୟମିତତା ମାମଲାରେ ଗିରଫ କରିଥିଲା । କିନ୍ତୁ ଏବେ ଘୋଷଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ କରାଯାଇଛି । ସିବିଆଇ ମାମଲାରେ ଏଫଆଇଆର ରୁଜୁ କରିବାରେ ବିଳମ୍ବ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସନ୍ଦୀପ ଘୋଷ ଓ ତାଲା ପୋଲିସ ଆଇଆଇସି ଅଭିଜିତ ମଣ୍ଡଲଙ୍କୁ ଗିରଫ କରିଛି । ଗିରଫ ପରେ ଉଭୟଙ୍କୁ ସିୟାଲଦହ ଅଦାଲତରେ ହାଜର କରାଯାଇଥିଲା ।
ସୂଚନା ଅନୁଯାୟୀ, ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ସନ୍ଦୀପ ଘୋଷ ଓ କୋଲକାତା ପୋଲିସର ଆଇଆଇସି ଉଭୟ ମିଶି ତଦନ୍ତକୁ ବିଳମ୍ବିତ କରିବା ଏବଂ ପ୍ରମାଣ ନଷ୍ଟ କରି ନ୍ୟାୟକୁ ବାଧାପ୍ରାପ୍ତ କରିବା କାମରେ ସାମିଲ ଥିଲେ । ଆଉ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଉଭୟକୁ ଗିରଫ କରାଯାଇଛି ।
ଘୋଷଙ୍କୁ ବର୍ତ୍ତମାନ ପ୍ରେସିଡେନ୍ସି କେନ୍ଦ୍ରୀୟ ଜେଲର ଏକ ଏକାନ୍ତ କୋଠରୀରେ ରଖାଯାଇଛି । ଏହା ପୂର୍ବରୁ ସନ୍ଦୀପ ଘୋଷଙ୍କୁ ସିବିଆଇ ସେପ୍ଟେମ୍ବର ୨ ତାରିଖରେ ଗିରଫ କରିଥିଲା । କଲିକତା ହାଇକୋର୍ଟଙ୍କ ଆଦେଶକ୍ରମେ ସିବିଆଇ ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ।
ଅଗଷ୍ଟ ୯ ତାରିଖରେ ଆରଜି କର କଲେଜ ଓ ହସ୍ପିଟାଲର ସେମିନାର ହଲରେ ଜଣେ ୩୧ ବର୍ଷୀୟ ଜୁନିୟର ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡିଥିଲା ଯେ, ହତ୍ୟା ପୂର୍ବରୁ ତାଙ୍କ ସହ କ୍ରୁରତା ପୂର୍ବକ ଦୁଷ୍କର୍ମ କରାଯାଇଥିଲା । ଏହି ମାମଲାରେ ନ୍ୟାୟ ଦାବିରେ ସମଗ୍ର ଦେଶରେ ଡାକ୍ତରମାନେ ହଡତାଳ ଓ ବିରୋଧ ପ୍ରଦର୍ଶନ କରିଛନ୍ତି । କୋଲକାତାରେ ଡାକ୍ତରଙ୍କ ହଡତାଳ ଜାରି ରହିଛି ।