ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ’ଏକ୍ସ’ରେ ଟୁଇଟ୍ କରି କହିଛନ୍ତି, ଆଜି ଆମେ ଆମର ଗୌରବମୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ପାଳନ କରୁଛୁ। ଏହି ଅବସରରେ ଆମେ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଉଛୁ, ଯେଉଁମାନେ ଆମସମ୍ବିଧାନ ତିଆରି କରିଛନ୍ତି ଏବଂ ଆମର ବିକାଶ ଯାତ୍ରା ଗଣତନ୍ତ୍ର, ଗୌରବ ଏବଂ ଏକତା ଉପରେ ଆଧାରିତ ବୋଲି ସୁନିଶ୍ଚିତ କରିଛନ୍ତି। ଏହି ଜାତୀୟ ପର୍ବ ଆମ ସମ୍ବିଧାନର ମୂଲ୍ୟବୋଧକୁ ସୁରକ୍ଷିତ ରଖନ୍ତୁ ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ଆମର ପ୍ରୟାସକୁ ସୁଦୃଢ଼ କରନ୍ତୁ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟୁଇଟ୍ରେ ରାଜ୍ୟବାସୀଙ୍କୁ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ବୋଲି କହିଛନ୍ତି। ଏହି ଅବସର ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ, ଆଜିର ଏହି ପବିତ୍ର ଦିନରେ 'ବିକଶିତ ଭାରତ, ବିକଶିତ ଓଡ଼ିଶା' ନିର୍ମାଣ ପାଇଁ ସମସ୍ତେ ଶପଥ ନେବା ବୋଲି ବାର୍ତ୍ତା ଦେଇଛନ୍ତି।
ଭାରତ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତର ବିବିଧ ସଂସ୍କୃତି ଏବଂ ସାମରିକ ଶକ୍ତିକୁ ଆଜି ସମଗ୍ର ବିଶ୍ବବାସୀ ଦେଖିବେ।
ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ଉତ୍ସବମୁଖର ଦେଖାଯାଇଛି। ଦେଶର ପ୍ରତି ରାଜ୍ୟର ରାଜଧାନୀରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହେଉଛି। ସେହିପରି ଜିଲ୍ଲା, ଉପଖଣ୍ଡ, ବ୍ଲକ, ପଞ୍ଚାୟତସ୍ତରରେ ମଧ୍ୟ ଜାତୀୟ ଉତ୍ସବ ପାଳନ କରାଯାଉଛି। ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ପରିସରରେ ମଧ୍ୟ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉଡୁଛି।