ମୁମ୍ବାଇ: ବାରମ୍ବାର ବିମାନକୁ ଧମକ ମିଳୁଛି। ମଙ୍ଗଳବାର ଦିନ ଏହିଭଳି ୨ଟି ଘଟଣା ନଜିରକୁ ଆସିଛି। ପୂର୍ବାହ୍ଣରେ ଏଭଳି ଏକ ଧମକପୂର୍ଣ୍ଣ ଖବର ଆସିଥିଲା। ରାତିରେ ପୁଣି ଅନ୍ୟ ଏକ ବିମାନକୁ ଧମକ ବାର୍ତ୍ତା ମିଳିଛି। ଏହା ଦ୍ବାରା ଯାତ୍ରୀମାନେ ବିମାନରେ ଯାତ୍ରା କରିବାକୁ ମଧ୍ୟ ଭୟ କରିବା ସ୍ବାଭାବିକ। ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ବାହାରିଥିବା ‘ଇଣ୍ଡିଗୋ’ର ଏକ ବିମାନକୁ ମଙ୍ଗଳବାର ରାତିରେ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା। କିନ୍ତୁ ଏହି ବାର୍ତ୍ତା ମିଳିବା ପରେ ବିମାନକୁ ମୁମ୍ବାଇରେ ରାତି ସାଢ଼େ ୧୦ଟାରେ ସୁରକ୍ଷିତ ଭାବେ ଅବତରଣ କରିଦିଆଯାଇଥିଲା।
ବିମାନକୁ ସୁରକ୍ଷିତ ଭାବେ ଅବତରଣ କରି ଦିଆଯିବା ପରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ଇଣ୍ଡିଗୋ ବିମାନ ୬ଇ ୫୧୪୯ ଚେନ୍ନାଇରୁ ମୁମ୍ବାଇ ବାହାରିଥିଲା। ବୋମା ନେଇ ଏହି ବିମାନକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା। ବିମାନର କ୍ରୁ ସଦସ୍ୟ ପ୍ରଟୋକଲକୁ ଦୃଷ୍ଟିରେ ରଖି ବିମାନ ଅବତରଣ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆମେ ସୁରକ୍ଷାକୁ ପ୍ରାଥମିକତା ଦେଇଛୁ।
ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନକୁ ଇ-ମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ଏହି ଧମକ ପରେ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଥିଲା। ବିମାନବନ୍ଦରର କର୍ମଚାରୀମାନେ ଏହି ଖବର ପୁଲିସକୁ ଦେଇଥିଲେ। ତେବେ ତଦନ୍ତ ବେଳେ ମଧ୍ୟ ପୁଲିସକୁ କୌଣସି ସେମିତି କିଛି ତଥ୍ୟ ମିଳିନଥିଲା। କିଏ ଓ କେଉଁ କାରଣରୁ ବୋମା ଧମକ ଦେଉଛି ପୁଲିସ ତଦନ୍ତ କରୁଛି।