ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ବିଧାନସଭାର ନବନିର୍ବାଚିତ ବିଧାୟକମାନେ ଅକ୍ଟୋବର ୨୧ରେ ଶପଥ ଗ୍ରହଣ କରିବେ। ଶୁକ୍ରବାର ଉପରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ପ୍ରୋଟେମ୍ ବାଚସ୍ପତି ମୁବାରକ ଗୁଲ ତାଙ୍କୁ ଶପଥ ପାଠ କରାଇବେ। ଅନ୍ୟପକ୍ଷରେ ବାଚସ୍ପତି ପଦ ପାଇଁ ଅବଦୁଲ ରହିମ ରାଥେରଙ୍କ ନାମ ସବୁଠାରୁ ଆଗରେ ଥିବା ବେଳେ ଅଲ୍ଲୀ ମହମ୍ମଦ ସାଗର ମଧ୍ୟ ଦୌଡ଼ରେ ଅଛନ୍ତି।
ଉପବାଚସ୍ପତି ପଦ ବିଜେପିକୁ ଦିଆଯିବ। ନଭେମ୍ବର ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ ଡକାଯିବାର ସମ୍ଭାବନା ରହିଛି। ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ର ଧାରା ୨୪ ଅନୁଯାୟୀ ଦିଆଯାଇଥିବା କ୍ଷମତା ଏବଂ ଅଧିକାରର ପ୍ରୟୋଗ କରି ଉପରାଜ୍ୟପାଳ ମନୋଜ ସିହ୍ନା ବିଧାୟକ ମୁବାରକ ଗୁଲଙ୍କୁ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ଅକ୍ଟୋବର ୨୧ ତାରିଖ ସୋମବାର ଅପରାହ୍ନ ୨ଟାରେ ବିଧାନସଭା ପରିସରରେ ସେ ବିଧାନସଭା ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ।
ନ୍ୟାସନାଲ କନଫରେନ୍ସ (ଏନସି)ର ବରିଷ୍ଠ ନେତା ମୁବାରକ ଗୁଲ ମଧ୍ୟ ଇଦ୍ଗାହରୁ ନିର୍ବାଚିତ ହୋଇଛନ୍ତି। ଏନ୍ ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ରାର-ଇ-ସରିଫରୁ ନିର୍ବାଚିତ ବିଧାୟକ ଅବଦୁଲ ରହିମ ରାଥେରଙ୍କୁ ବାଚସ୍ପତି ପଦ ପାଇଁ ବିଚାର କରାଯାଉଛି। ୨୦୧୯ ଅଗଷ୍ଟ ୫ ତାରିଖ ପୂର୍ବରୁ ସେ ଜମ୍ମୁ-କଶ୍ମୀର ରାଜ୍ୟର ଅର୍ଥମନ୍ତ୍ରୀ ଥିଲେ।
ଏନସି ର ବରିଷ୍ଠ ନେତାଙ୍କ ମଧ୍ୟରେ ଅବଦୁଲ ରହିମ ରାଥେର, ଅଲି ମହମ୍ମଦ ସାଗର ଏବଂ ପ୍ରୋଟେମ୍ ବାଚସ୍ପତି ମୁବାରକ ଗୁଲ ହେଉଛନ୍ତି ଚଳିତ ବିଧାନସଭାର ତିନି ଜଣ ବିଧାୟକ ଯେଉଁମାନେ ସାତଟି ନିର୍ବାଚନ ଜିତିଛନ୍ତି। ବରଂ ପିଡିପି-କଂଗ୍ରେସ ମେଣ୍ଟ ସରକାର ସମୟରେ ଜମ୍ମୁ-କଶ୍ମୀରରେ ବିରୋଧୀ ଦଳ ନେତା ମଧ୍ୟ ଥିଲେ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଭିନ୍ନ ବିଭାଗକୁ ନେଇ ପ୍ରଥମ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଯାଞ୍ଚ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଜେ ଏହା ଅଧୀନରେ ଥିବା ସମସ୍ତ ବିଭାଗର କାର୍ଯ୍ୟର ସମୀକ୍ଷା କରିବ ବୋଲି ସେ କହିଛନ୍ତି। ସେ ତାଙ୍କ କ୍ୟାବିନେଟ୍ ସହଯୋଗୀମାନଙ୍କୁ ସେମାନଙ୍କ ବିଭାଗଗୁଡ଼ିକର ସକ୍ରିୟ ତଦାରଖ ଏବଂ ସମୀକ୍ଷା କରିବାକୁ କହିଥିଲେ।
ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ