ଇମ୍ଫାଲ: ମଣିପୁରର ଇମ୍ଫାଲ ଉପତ୍ୟକା ଏବଂ ଜିରିବାମ ଜିଲ୍ଲାରେ ଆଜିଠାରୁ ସ୍କୁଲ ଓ କଲେଜ ଖୋଲିଛି। ନିକଟରେ ଘଟିଥିବା ହିଂସାକାଣ୍ଡ ପରେ ଏହି ଜିଲ୍ଲାଗୁଡ଼ିକରେ ଶିକ୍ଷାନୁଷ୍ଠାନଗୁଡ଼ିକ ୧୩ ଦିନ ପାଇଁ ବନ୍ଦ ରହିଥିଲା। ବୋରୋବ୍ରେକାସ୍ଥିତ ରିଲିଫ୍ କ୍ୟାମ୍ପରୁ ନିଖୋଜ ହୋଇଥିବା ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କ ମୃତଦେହ ବୋରୋବ୍ରେକାରୁ ମିଳିବା ପରେ ଜିରିବାମ୍ ଓ ଇମ୍ଫାଲ ଉପତ୍ୟକା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି।
ମଣିପୁର ଶିକ୍ଷା ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ନଭେମ୍ବର ୨୯ରୁ ପ୍ରଭାବିତ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ୱାଭାବିକ ପାଠପଢ଼ା ଆରମ୍ଭ ହେବ। ସେହିପରି ଶୁକ୍ରବାରଠାରୁ ସରକାରୀ ଅନୁଦାନପ୍ରାପ୍ତ କଲେଜ ଓ ରାଜ୍ୟ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗତ ନଭେମ୍ବର ୧୬ ତାରିଖରେ ସୁରକ୍ଷା ବାହିନୀ ଓ ସନ୍ଦିଗ୍ଧ କୁକି-ଜୋ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ଜିରିବାମରେ ହିଂସା କାଣ୍ଡ ଘଟିବା ପରେ ଏହି ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା।
ଏହି ଗୁଳିବିନିମୟରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରିଲିଫ୍ କ୍ୟାମ୍ପରୁ ୬ ଜଣ ନିଖୋଜ ହୋଇଛନ୍ତି। ଏହାର କିଛି ଦିନ ପରେ ମଣିପୁର ଓ ଆସାମର ଜିରି ନଦୀ ଏବଂ ଆସାମର ଜିରି ଓ ବରାକ ନଦୀରେ ରିଲିଫ କ୍ୟାମ୍ପରୁ ନିଖୋଜ ଲୋକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିବା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ହିଂସାକୁ ରୋକିବା ପାଇଁ ଇମ୍ଫାଲ ଉପତ୍ୟକା ଜିଲ୍ଲା ଏବଂ ଜିରିବାମରେ କର୍ଫ୍ୟୁ ଆଦେଶ ଜାରି ରହିଛି। ସ୍କୁଲ ଓ କଲେଜ ଖୋଲିବା ପରେ କର୍ଫ୍ୟୁ କୋହଳ ହେବ କି ନାହିଁ ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘାଟି ୯ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଆଶା କରାଯାଉଛି ଯେ, ଖୁବ୍ କମ୍ ଦିନ ଭିତରେ ସ୍ଥିତି ସ୍ବାଭାବିକ ହେବ।
ଅଧିକ ପଢ଼ନ୍ତୁ: ଭାରତୀୟ କୁଟନୀତିଜ୍ଞଙ୍କ ଅଡିଓ ଓ ଭିଡିଓ ସର୍ଭେଲାନ୍ସ ଉପରେ ନଜର