ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାରେ ବଡ଼ଧରଣର ବୃଦ୍ଧି ଘଟିଛି। ନିଗମ ଏବଂ ଦିଲ୍ଲୀ ସରକାରଙ୍କ ରିପୋର୍ଟରେ ଅଲଗା ଦର୍ଶାଯାଇଛି। ୨୦୨୩ରେ ନିଗମ ଡେଙ୍ଗୁ ରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ ସରକାରଙ୍କ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ରିପୋର୍ଟଅନୁଯାୟୀ ଏହି ସଂଖ୍ୟା ୫୩୮ ବୋଲି ଦର୍ଶାଯାଇଛି। କେବଳ ଚଳିତ ବର୍ଷ ନୁହେଁ, ପ୍ରତିବର୍ଷ ନିଗମ ଓ ଦିଲ୍ଲୀ ସରକାରଙ୍କ ରିପୋର୍ଟରେ ଏହି ପାର୍ଥକ୍ୟ ଦେଖିବାକୁ ମିଳୁଛି।
୨୦୨୨ମସିହାରେ ନିଗମରେ ଡେଙ୍ଗୁରେ ମାତ୍ର ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ ସରକାରଙ୍କ ରିପୋର୍ଟରେ ଏହି ସଂଖ୍ୟା ୪୦୧ ବୋଲି ଦର୍ଶାଯାଇଥିଲା। ସେହିପରି ୨୦୨୧ରେ ମଧ୍ୟ ନିଗମର ରିପୋର୍ଟରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ ସରକାରଙ୍କ ରିପୋର୍ଟରେ ୬୫୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏ ନେଇ ଏମ୍ସିଡିର ପ୍ରେସ୍ ଓ ସୂଚନା ବିଭାଗଠାରୁ ଜବାବ ମାଗିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ନିଗମ ନିଜ ଦାୟିତ୍ବ ଓ ସମାଲୋଚନାରୁ ବର୍ତ୍ତିବା ପାଇଁ ୨୦୨୩ ଅଗଷ୍ଟ ୫ ତାରିଖରୁ ମଶାବାହିତ ରୋଗର ସାପ୍ତାହିକ ତଥ୍ୟ ପ୍ରକାଶ କରିବା ବନ୍ଦ କରିଦେଇଛି। ଏହା ଦ୍ୱାରା ଦିଲ୍ଲୀରେ ଭେକ୍ଟରବାହିତ ରୋଗର ସ୍ଥିତି ବିଷୟରେ ଲୋକଙ୍କୁ ସଚେତନ କରାଯାଉନାହିଁ। ଦିଲ୍ଲୀ ସରକାରଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଡେଙ୍ଗୁରେ ୫୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୨ ଜଣ ପୁରୁଷ ଓ ୨୪୬ ଜଣ ମହିଳା ଅଛନ୍ତି। ଏଥିରେ ମଶାବାହିତ ରୋଗ ଡେଙ୍ଗୁ ରେ ୧ ବର୍ଷରୁ କମ୍ ବୟସର ୮ ଜଣ ଶିଶୁପ୍ରାଣ ହରାଇଛନ୍ତି। ଡେଙ୍ଗୁରେ ୧ରୁ ୪ ବର୍ଷ ବୟସର ୮ ଜଣ ଓ ୫ରୁ ୧୪ ବର୍ଷ ବୟସର ୪୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।
ରାଜଧାନୀ ଦିଲ୍ଲୀରେ ତିନୋଟି ପ୍ରମୁଖ ସଂସ୍ଥା ରହିଛି। ଏମସିଡି ହେଉଛି ସବୁଠାରୁ ବଡ ସଂସ୍ଥା। ଏହା ପରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ (ଏନଡିଏମସି) ଏବଂ ଦିଲ୍ଲୀ କ୍ୟାଣ୍ଟ ତୃତୀୟ ସ୍ଥାନରେ ରହିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ଡେଙ୍ଗୁରେ ମୃତ୍ୟୁ ହେଲେ ମୃତ୍ୟୁ ସମ୍ପର୍କରେ ଏମ୍ସିଡି କିମ୍ବା ସଂପୃକ୍ତ ସଂସ୍ଥାକୁ ଖବର ଦିଆଯାଇଥାଏ। ଏମସିଡିରେ ପୌର ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଏହାର ତଦନ୍ତ କରୁଛି। ଅନ୍ୟାନ୍ୟ ରୋଗ କିମ୍ବା ସମସ୍ତ ପରିସ୍ଥିତି ଦେଖି ମୃତକଙ୍କୁ ଡେଙ୍ଗୁ ରେ ମୃତ୍ୟୁ ଘୋଷଣା କରାଯାଏ।
ଅଧିକ ପଢ଼ନ୍ତୁ: ନିର୍ବାଚନ ପ୍ରଚାରରେ ଆଜି ପ୍ରବେଶ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ