ପର୍ଥ: ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଜାରି ରହିଛି। ତୃତୀୟ ଦିନ ରବିବାର ଭାରତୀୟ ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି। ଜୟସ୍ବାଲ ୧୫୦ ରନ୍ ସଂଗ୍ରହ ବ୍ୟାଟିଂ ଜାରି ରଖିଛନ୍ତି। ସେ ୨୭୫ଟି ବଲ୍ ଖେଳି ୧୫୦ ରନ୍ ପୂରଣ କରିଛନ୍ତି, ଯେଉଁଥିରେ ୧୩ଟି ଚୌକା ଓ ୩ଟି ଛକା ସାମିଲ ରହିଛି।
ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ଦୁଇଟି ୱିକେଟ୍ ବିନିମୟରେ ୨୮୮ ରନ୍ରେ ପହଞ୍ଚିଛି। ଭାରତ ୩୩୪ ରନ୍ରେ ଆଗୁଆ ରହିଛି। କେଏଲ୍ ରାହୁଲ ୭୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। ଦେବଦତ୍ତ ପଡ଼ିକଲ ୨୫ ରନ୍ ସଂଗ୍ରହ କରି ବିଦାୟ ନେଇଥିବା ବେଳେ ବରାଟ କୋହଲି ପଡ଼ିଆକୁ ପ୍ରବେଶ କରିଛନ୍ତି।
ଏହା ପୂର୍ବରୁ ଜୟସ୍ବାଲ ଐତିହାସିକ ଶତକ ହାସଲ କରିଥିଲେ। ସେ ୨୦୫ ବଲ୍ର ସମ୍ମୁଖୀନ ହୋଇ ଏକ ଛକା ସହାୟତାରେ ଛକା ମାରିଥିଲେ। ତାଙ୍କର ଶତକରେ ୮ ଚୌକା ଓ ୩ ଛକା ସାମିଲ ଥିଲା। ଯଶସ୍ୱୀ ୧୨୩ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା କି ୧୫ ଟେଷ୍ଟ୍ରେ ତାଙ୍କର ସବୁଠାରୁ ମନ୍ଥର ଅର୍ଦ୍ଧଶତକ। ସେ ଟେଷ୍ଟ କ୍ରିକେଟରେ ୩୧ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହା କି ଭାରତର ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ। ଏଥିରୁ ଜଣାପଡୁଛି ଯେ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସେ କେବଳ ନିର୍ଭୟ ନୁହଁନ୍ତି ବରଂ ପରିସ୍ଥିତି ଅନୁଯାୟୀ ଖେଳିବାରେ ପାରଙ୍ଗମ। ଏହି ଇନିଂସରେ ସେ ୨ଟି ଛକା ମାରିବା ସହ ବ୍ରେଣ୍ଡନ ମ୍ୟାକ୍କୁଲମ (୩୩)ଙ୍କୁ ଟେଷ୍ଟ କ୍ରିକେଟରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ୧୦ ବର୍ଷପୁରୁଣା ରେକର୍ଡ କରିଥିଲେ। ଯଶସ୍ୱୀ ୨୦୨୪ରେ ଏପର୍ଯ୍ୟନ୍ତ ୩୪ଟି ଛକା ମାରିଛନ୍ତି। ଏହି ତାଲିକାରେ ଭାରତୀୟଙ୍କ ମଧ୍ୟରେ ବୀରେନ୍ଦ୍ର ସେହୱାଗ (୨୨) ଓ ଋଷଭ ପନ୍ତ (୨୧) ରହିଛନ୍ତି।
‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ମୁକାବିଲାରେ ଭାରତୀୟ ବୋଲରମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଦ୍ବିତୀୟ ଦିନ ଶନିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୧୦୪ ରନ୍ରେ ଅଲ୍ଆଉଟ୍ କରିଛନ୍ତି। ଏଥି ସହିତ ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ୪୬ ରନ୍ରେ ଆଗୁଆ ରହିଛି। ଅଧିନାୟକ ଯଶପ୍ରୀତ ବୁମାର ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି। ହର୍ଷିତ ରାଣାଙ୍କୁ ୩ ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ମିଳିଛି।
ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଜାରି ଥିବା ଏହି ମୁକାବିଲାରେ ଭାରତୀୟ ଟିମ୍ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲା।
ଅଧିକ ପଢ଼ନ୍ତୁ: ଐତିହାସିକ ଶତକ ହାସଲ କଲେ ଯଶସ୍ୱୀ ଜୟସ୍ୱାଲ