ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଜାରି ରହିଛି। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ତୃତୀୟ ଦିନ ରବିବାର ଭାରତୀୟ ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରି ଐତିହାସିକ ଶତକ ହାସଲ କରିଛନ୍ତି। ସେ ୨୦୫ ବଲ୍ର ସମ୍ମୁଖୀନ ହୋଇ ତୃତୀୟ ସ୍ଥାନରେ ପହଞ୍ଚିବା ସହ ୮ ଚୌକା ଓ ୩ ଛକା ମାରିଛନ୍ତି।
ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ଗୋଟିଏ ୱିକେଟ୍ ବିନିମୟରେ ୨୦୮ ରନ୍ରେ ପହଞ୍ଚିଛି। କେଏଲ୍ ରାହୁଲ ୭୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ଦେବଦତ୍ତ ପଡ଼ିକଲ ପଡ଼ିଆକୁ ଆସିଛନ୍ତି।
ଯଶସ୍ୱୀ ୧୨୩ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା କି ୧୫ ଟେଷ୍ଟ୍ ରେ ତାଙ୍କର ସବୁଠାରୁ ମନ୍ଥର ଅର୍ଦ୍ଧଶତକ। ସେ ଟେଷ୍ଟ କ୍ରିକେଟରେ ୩୧ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହା କି ଭାରତର ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ। ଏଥିରୁ ଜଣାପଡୁଛି ଯେ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସେ କେବଳ ନିର୍ଭୟ ନୁହଁନ୍ତି ବରଂ ପରିସ୍ଥିତି ଅନୁଯାୟୀ ଖେଳିବାରେ ପାରଙ୍ଗମ। ଏହି ଇନିଂସରେ ସେ ୨ଟି ଛକା ମାରିବା ସହ ବ୍ରେଣ୍ଡନ ମ୍ୟାକ୍କୁଲମ (୩୩)ଙ୍କୁ ଟେଷ୍ଟ କ୍ରିକେଟରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ୧୦ ବର୍ଷପୁରୁଣା ରେକର୍ଡ କରିଥିଲେ। ଯଶସ୍ୱୀ ୨୦୨୪ରେ ଏପର୍ଯ୍ୟନ୍ତ ୩୪ଟି ଛକା ମାରିଛନ୍ତି। ଏହି ତାଲିକାରେ ଭାରତୀୟଙ୍କ ମଧ୍ୟରେ ବୀରେନ୍ଦ୍ର ସେହୱାଗ (୨୨) ଓ ଋଷଭ ପନ୍ତ (୨୧) ରହିଛନ୍ତି।
‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ମୁକାବିଲାରେ ଭାରତୀୟ ବୋଲରମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଦ୍ବିତୀୟ ଦିନ ଶନିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୧୦୪ ରନ୍ରେ ଅଲ୍ଆଉଟ୍ କରିଛନ୍ତି। ଏଥି ସହିତ ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ୪୬ ରନ୍ରେ ଆଗୁଆ ରହିଛି। ଅଧିନାୟକ ଯଶପ୍ରୀତ ବୁମାର ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି। ହର୍ଷିତ ରାଣାଙ୍କୁ ୩ ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ମିଳିଛି।
ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଜାରି ଥିବା ଏହି ମୁକାବିଲାରେ ଭାରତୀୟ ଟିମ୍ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲା।
ଅଧିକ ପଢ଼ନ୍ତୁ: କମ୍ ଭୋଟ୍ ବ୍ୟବଧାନରେ ହାର-ଜିତ୍