ୱେଲିଂଟନ: ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ୱେଲିଂଟନରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଦ୍ରୁତବୋଲର ଗୁସ୍ ଆଟକିନସନ ଇତିହାସ ରଚିଛନ୍ତି। ଏହି ମ୍ୟାଚରେ ସେ ହ୍ୟାଟ୍ରିକ୍ କରିଛନ୍ତି। ଏହା ସହ ୧୬ ବର୍ଷର ମରୁଡ଼ିର ଅନ୍ତ ଘଟାଇଛନ୍ତି। ଶନିବାର ମ୍ୟାଚ୍ର ଦ୍ବିତୀୟ ଦିନରେ ଏହି ଡାହାଣହାତୀ ବୋଲର ଏଭଳି ଚମତ୍କାର ପ୍ରଦର୍ଶନ କରିଛନ୍ତି।
କ୍ରମାଗତ ୩ଟି ବଲ୍ରେ ନ୍ୟୁଜିଲାଣ୍ଡର ଶେଷ ୩ଟି ୱିକେଟ୍ ନେଇ ଆଟକିନସନ ଏହା କରିଛନ୍ତି। ସେ ୩୫ତମ ଓଭରର ତୃତୀୟ ବଲ୍ରେ ନାଥନ୍ ସ୍ମିଥ୍, ପରବର୍ତ୍ତୀ ବଲ୍ରେ ମ୍ୟାଟ୍ ହେନରି ଏବଂ ପରେ ପଞ୍ଚମ ବଲ୍ରେ ଟିମ୍ ସାଉଦିଙ୍କୁ ଆଉଟ୍ କରି ନିଜର ପ୍ରଥମ ଟେଷ୍ଟ ହ୍ୟାଟ୍ରିକ୍ ପୂରଣ କରିଥିଲେ। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୧୨୫ ରନ୍ କରିପାରିଥିଲା। ଏହା ସହ ଆଟକିନସନ ନିଜ ଦେଶ ପାଇଁ ୧୫ତମ ହ୍ୟାଟ୍ରିକ୍ ହାସଲ କରିଛନ୍ତି।
ଏହା ସହ ଆଟକିନସନ ଦୀର୍ଘ ଦିନ ଧରି ଲାଗି ରହିଥିବା ମରୁଡ଼ିର ମଧ୍ୟ ଅନ୍ତ ଘଟାଇଛନ୍ତି। ୧୬ ବର୍ଷ ପରେ ଇଂଲଣ୍ଡର ଜଣେ ବୋଲର ଦେଶ ବାହାରେ ହ୍ୟାଟ୍ରିକ୍ କରିଛନ୍ତି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ରିୟାନ୍ ସାଇଡବଟମ୍ ହ୍ୟାଟ୍ରିକ୍ କରିଥିଲେ। ୨୦୧୭ ପରେ ଇଂଲଣ୍ଡ ପାଇଁ ହ୍ୟାଟ୍ରିକ୍ କରିବାରେ ସେ ହେଉଛନ୍ତି ପ୍ରଥମ ବୋଲର। ୨୦୧୭ରେ ଇଂଲଣ୍ଡର ଓଭାଲରେ ମୋଇନ୍ ଅଲ୍ଲୀ ହ୍ୟାଟ୍ରିକ୍ କରିଥିଲେ। ଇଂଲଣ୍ଡ ପାଇଁ ହ୍ୟାଟ୍ରିକ୍ କରିବାରେ ଆଟକିନସନ୍ ୧୪ତମ ବୋଲର ହୋଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍ ୨ଥର ହ୍ୟାଟ୍ରିକ୍ ହାସଲ କରିଛନ୍ତି।
ଆଟକିନସନଙ୍କ ହ୍ୟାଟ୍ରିକ୍ ହେଉଛି ୨୦୨୧ ପରେ ଟେଷ୍ଟ୍ କ୍ରିକେଟ୍ରେ ନିଆଯାଇଥିବା ପ୍ରଥମ ହ୍ୟାଟ୍ରିକ୍। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହ୍ୟାଟ୍ରିକ୍ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୮୦ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୧୨୫ ରନ୍ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ହ୍ୟାରି ବ୍ରୁକ୍ ଚମତ୍କାର ଶତକ ହାସଲ କରି ୧୧୫ ବଲ୍ ରୁ ୧୨୩ ରନ୍ କରିଥିଲେ। ଓଲି ପୋପ୍ ୬୬ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପଲ୍ଲା ଭାରି