ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପୱାଡା ସମେତ ରାଜୌରୀ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବୁଧବାର ବିଳମ୍ବିତ ରାତିରେ ରାଜୌରୀର ଖେରି ମୋହରା ଲାଠି ଓ ଦାନ୍ତଲ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଜମ୍ମୁ-କଶ୍ମୀର ପୁଲିସ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରକୁ ନିଶ୍ଚିତ କରିଛି। ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଅନୁପ୍ରବେଶ ଉଦ୍ୟମକୁ କୁପଓ୍ଵାଡ଼ାରେ ସୁରକ୍ଷାବାହିନୀ ବିଫଳ କରିଛନ୍ତି। ଏଠାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ମଧ୍ୟ ହୋଇଛି।
ନିୟନ୍ତ୍ରଣ ରେଖାରେ ଦୁଇଟି ସ୍ଥାନରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଉଭୟ ସ୍ଥାନରେ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛି ସୁରକ୍ଷାବାହିନୀ। ଏବେ ଉଭୟ ସ୍ଥାନରେ ଅନୁପ୍ରବେଶକାରୀଙ୍କୁ ଖୋଜା ଚାଲିଛି। ଭାରତୀୟ ସେନାର ଯବାନମାନେ ସନ୍ଦେହ କରିଛନ୍ତି ଯେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ଦୁଇଟି ଗୋଷ୍ଠୀ ଥିଲା, ଯେଉଁଥିରେ ପ୍ରତ୍ୟେକ ଗୋଷ୍ଠୀରେ ୨ରୁ ୩ ଜଣ ଆତଙ୍କବାଦୀ ସାମିଲ ଥିଲେ। ତଙ୍ଗଧର ଓ ମଚାଇଲର ଉପର ମୁଣ୍ଡକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଖରାପ ପାଗ ଯୋଗୁଁ ଅପରେସନରେ ଅସୁବିଧା ହେଉଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ଜମ୍ମୁ-କଶ୍ମୀର ପୁଲିସ କହିଛି ଯେ ଅଗଷ୍ଟ ୨୮ ତାରିଖ ରାତି ସାଢ଼େ ୯ଟାରେ ଖେରି, ମୋହରା, ଲାଠି ଓ ଦାନ୍ତଲ ଅଞ୍ଚଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା। ଏହାପରେ ଖେରି ମୋହରା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ସକାଳ ୬ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଲଗାତାର ଗୁଳିଚାଳନା ହୋଇଥିଲା। ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ସେନା ସର୍ଚ୍ଚ ଅପରେଶନ ଜାରି ରଖିଛି।
ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସିନ୍ଧରା ଅଂଚଳରେ ହୋଇଥିବା ଏନକାଉଣ୍ଟରରେ ସେନାକୁ ବଡ ସଫଳତା ମିଳିଛି। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ପରେ ସେନା ଚୀନରେ ନିର୍ମିତ ୬ଟି ଗ୍ରେନେଡ ଜବତ କରିଛି।
ଅଧିକ ପଢ଼ନ୍ତୁ: ଆସାମରେ ଏକ ଲକ୍ଷରୁ ଅଧିକ ସନ୍ଦିଗ୍ଧ ମତଦାତା ଚିହ୍ନଟ