ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବୁଧବାର କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୧.୨୦ ଲକ୍ଷ ଲୋକଙ୍କୁ ସନ୍ଦିଗ୍ଧ ଭୋଟର ଭାବରେ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୪୧,୫୮୩ ଜଣଙ୍କୁ ବିଦେଶୀ ଘୋଷଣା କରାଯାଇଛି। ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶର୍ମା ବିଧାନସଭାରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୧୯,୫୭୦ ଜଣଙ୍କୁ ସନ୍ଦିଗ୍ଧ ଭୋଟର ଭାବେ ଚିହ୍ନଟ କରାଯାଇଛି।
ସେମାନଙ୍କ ମଧ୍ୟରୁ ୭୬,୨୩୩ ଜଣ ଭାରତୀୟ ଓ ୪୧,୫୮୩ ଜଣ ବିଦେଶୀ ବୋଲି ଚିହ୍ନଟ ହୋଇଛନ୍ତି। ଗୃହ ବିଭାଗର ଦାୟିତ୍ୱରେ ଥିବା ଶର୍ମା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୭୯୫ ଜଣଙ୍କୁ ଡିଟେନସନ କ୍ୟାମ୍ପରୁ ଜାମିନରେ ମୁକ୍ତ କରାଯାଇଛି। ସେ କହିଛନ୍ତି ଯେ ସମ୍ପୃକ୍ତ ଦେଶମାନେ ବିଦେଶୀ ଘୋଷିତ ବ୍ୟକ୍ତିଙ୍କ ନାଗରିକତା ଯାଞ୍ଚ କରୁଛନ୍ତି। ଦେଶ ସେମାନଙ୍କୁ ଟ୍ରାଭେଲ୍ ପରମିଟ୍ ପ୍ରଦାନ କରିବା ପରେ ସେମାନଙ୍କୁ ଫେରାଇ ଦିଆଯିବ। ଆସାମରେ ସନ୍ଦିଗ୍ଧ ଭୋଟରଙ୍କ ଧାରଣା ୧୯୯୭ରେ ନିର୍ବାଚନ ଆୟୋଗ ଆଣିଥିଲେ। ଯେଉଁମାନେ ନିଜ ଭାରତୀୟ ନାଗରିକତା ସପକ୍ଷରେ ପ୍ରମାଣ ଦେଇପାରିନଥିଲେ ସେମାନଙ୍କ ର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ।
ଆସାମର ୯.୩୫ ଲକ୍ଷରୁ ଅଧିକ ଲୋକ ଯେଉଁମାନେ ଏନଆରସି ଅପଡେଟ୍ ପ୍ରକ୍ରିୟା ସମୟରେ ପ୍ରଦାନ କରାଯାଇଥିବା ବାୟୋମେଟ୍ରିକ୍ସ ସୂଚନା ଲକ୍ ଯୋଗୁଁ ଆଧାର କାର୍ଡ ପାଇବାରେ ଅସମର୍ଥ ହୋଇଥିଲେ ସେମାନଙ୍କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଖୁବ୍ ଶୀଘ୍ର ଆଧାର କାର୍ଡ ପ୍ରଦାନ କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏନଆରସିରେ ନାମ ଅନ୍ତର୍ଭୁକ୍ତ କରିବା ଏବଂ ଆଧାର ପଞ୍ଜୀକରଣ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ ହୋଇଥିବାରୁ କେନ୍ଦ୍ର ୟୁଆଇଡିଏଆଇକୁ କାର୍ଡ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି।
ଅଧିକ ପଢ଼ନ୍ତୁ: ମହାକାଶକୁ ବ୍ଲୁ ଅରିଜିନର ଅଷ୍ଟମ ପର୍ଯ୍ୟଟକ ଯାତ୍ରା