ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ନୂଆବର୍ଷରୁ ୧ ବର୍ଷ ଯାଏଁ ବାଣ ଫୁଟାଇବା ଉପରେ କଟକଣା ରହିବ। ଏ ନେଇ ଗୁରୁବାର ପରିବେଶ ବିଭାଗପ୍ରମୁଖ ଶାସନ ସଚିବ ଏକେ ସିଂହ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏହା ଅଧୀନରେ ଦିଲ୍ଲୀରେ ବର୍ଷ ସାରା ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ଜାଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଯଦି କେହି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି ତେବେ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଏଭଳି ପରିସ୍ଥିତିରେ ଖ୍ରୀଷ୍ଟମାସ ଓ ନୂଆବର୍ଷରେ ବାଣ ଜାଳିବା କାହା ପାଇଁ କଷ୍ଟକର ହୋଇପାରେ। ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଜାରି କରାଯାଇଛି।
ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ ବେଆଇନ ହେବ। ତେଣୁ ଦିଲ୍ଲୀରେ ଅନଲାଇନ କିମ୍ବା ଅଫଲାଇନରେ ଯେକୌଣସି ଉପାୟରେ ବାଣ ତିଆରି, ସଂରକ୍ଷଣ, ବିକ୍ରୟ ଏବଂ ଜାଳିବା ଦଣ୍ଡନୀୟ ଅପରାଧ ହେବ। ଏହି କାରଣରୁ ଦୋଷୀଙ୍କୁ ଦଣ୍ଡ ମିଳିପାରିବ।
ମୁଖ୍ୟ ପରିବେଶ ସଚିବ ଦିଲ୍ଲୀ ପୁଲିସ ଏବଂ ଦିଲ୍ଲୀ ସରକାରଙ୍କ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଆଦେଶକୁ ପାଳନ କରିବା ନିଶ୍ଚିତ କରନ୍ତୁ ଏବଂ ଯେଉଁମାନେ ଏହାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
ଶୀତଋତୁରେ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ପ୍ରଦୂଷଣ ଅଧିକ ହୋଇଥାଏ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ପର୍ବପର୍ବାଣୀ ସମୟରେ ପ୍ରଦୂଷଣ ବଢ଼ାଇବାରେ ବାଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାଣ ଜାଳିବା ଦ୍ୱାରା ବାୟୁମଣ୍ଡଳରେ ପ୍ରଦୂଷଣ ବଢ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ୨୦୨୦ ମସିହାରୁ ଦିଲ୍ଲୀରେ ପର୍ବପର୍ବାଣୀ ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ଏହି ମହିଳାଙ୍କୁ ୧୨ କୋଟି ଦେବାକୁ କହିଲେ ସୁପ୍ରିମ୍କୋର୍ଟ