କାଇରୋ: ଭାରତ ବିରୋଧରେ ବାଂଲାଦେଶ ସବୁ ପ୍ରକାର ପଦକ୍ଷେପ ନେଉଥିବା ବେଳେ ପଡ଼ୋଶୀ ପାକିସ୍ତାନ ସହ ତା'ର ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ପାକିସ୍ତାନକୁ ସବୁବେଳେ ପ୍ରଲୋଭିତ କରୁଥିବା ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ 'ଉଗ୍ରବାଦୀ' ଏଜେଣ୍ଡା। ଏବେ ଏହି କ୍ରମରେ ଇଜିପ୍ଟର ରାଜଧାନୀ କାଇରୋରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ସାକ୍ଷାତ ହୋଇଛି। ଏହି ସମୟରେ ଶେହବାଜ ସରିଫ ଏବଂ ମହମ୍ମଦ ୟୁନିସ୍ଙ୍କ ମଧ୍ୟରେ ଉଷ୍ମତାକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞ କହିବା ଆରମ୍ଭ କରିଛନ୍ତି ଯେ ୟୁନୁସ୍ ଖୁବ୍ ଶୀଘ୍ର ପାକିସ୍ତାନ ଗସ୍ତ କରିପାରନ୍ତି।
ଇଜିପ୍ଟର କାଇରୋଠାରେ ଚାଲିଥିବା ଡି-୮ ଶିଖର ସମ୍ମିଳନୀ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ ୪୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ କରିଛନ୍ତି। ସେ ୟୁନିସଙ୍କୁ ପାକିସ୍ତାନ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ସେ ସକାରାତ୍ମକ ଭାବରେ ଗ୍ରହଣ କରିଥିଲେ। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଇସହାକ ଡାର୍ ଏବଂ ୟୁନୁସର ସ୍ୱତନ୍ତ୍ର ଦୂତ ଲୁତ୍ଫି ସିଦ୍ଦିକିଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କାଇରୋରେ ଡି-୮ ବୈଠକରେ ପ୍ରଫେସର ଡ. ମହମ୍ମଦ ୟୁନୁସ୍ ୧୯୭୧ର ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସବୁ ସମସ୍ୟାର ସମାଧାନ ଦ୍ୱାରା ଢାକା-ଇସଲାମାବାଦ ସମ୍ପର୍କ ଏକ ନୂଆ ଦିଗ ପାଇବ ବୋଲି ସେ କହିଛନ୍ତି।
ଏହାର ଜବାବରେ ସରିଫ ୧୯୭୪ ମସିହାର ତ୍ରିପାକ୍ଷିକ ଚୁକ୍ତିକୁ ଉଲ୍ଲେଖ କରି କହିଥିଲେ ଯେ ଯଦି କୌଣସି ବିବାଦୀୟ ପ୍ରସଙ୍ଗ ରହିଛି, ତେବେ ସେଗୁଡ଼ିକ ଉପରେ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି। ବାଣିଜ୍ୟ, ସାଂସ୍କୃତିକ ପ୍ରତିନିଧି ଦଳ ଆଦାନ ପ୍ରଦାନ ଏବଂ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକଳାପ ମାଧ୍ୟମରେ ସହଯୋଗ ବୃଦ୍ଧି ଉପରେ ନେତାମାନେ ସହମତ ହୋଇଥିଲେ। ଚିନି ଶିଳ୍ପ ଏବଂ ଡେଙ୍ଗୁ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ: ସ୍ମୃତି-ରିଚାଙ୍କ ବିସ୍ଫୋରକ ବ୍ୟାଟିଂ