ଜୟପୁର: ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଓ ଭୟାବହ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏଥିରୁ ଘଟଣାସ୍ଥଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅନ୍ୟ ୩ ଜଣଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଜୟପୁରର ଅଜମେର ରୋଡ୍ ନିକଟରେ ଏକ ସିଏନ୍ଜି ଟ୍ରକ୍ ଅନ୍ୟ ଏକ ଟ୍ରକ୍ ସହ ଧକ୍କା ହେବା ପରେ ବିସ୍ଫୋରଣ ଘଟି ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବାହ୍ନ ୧୧ଟା ବେଳକୁ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା। କେବଳ ଏତିକି ନୁହେଁ, ୪୦ଟି ଗାଡି ମଧ୍ୟ ଜଳି ଯାଇଛି । ଏହି ଗାଡିରେ ଯାତ୍ରୀ ଥିଲେ, ଯେଉଁମାନେ କୌଣସି ପ୍ରକାରେ ଖସି ଯାଇ ନିଜ ଜୀବନ ବଞ୍ଚାଇଥିଲେ।
ଜୟପୁର ଭଙ୍କରୋଟା ଅଞ୍ଚଳରେ ସକାଳ ୫ଟାରେ ଘଟିଥିବା ଏହି ଦୁର୍ଘଟଣାର ଖବର ପୁଲିସ ପାଖରେ ପହଞ୍ଚିବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପହଞ୍ଚିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ ବିଭାଗର ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ନିଆଁଲିଭାଇବାରେ ନିୟୋଜିତ ହୋଇଥିଲେ। ଯେଉଁମାନେ ଖସି ପଳାଇ ନିଜ ଜୀବନ ବଞ୍ଚାଇ ପାରିଥିଲେ ସେମାନେ ଭାଗ୍ୟବାନ ଥିଲେ।
ଶୀତ କାରଣରୁ ସୂର୍ଯ୍ୟ ବିଳମ୍ବରେ ବାହାରକୁ ଆସୁଥିବା ବେଳେ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ରାଜପଥରେ ଯାଉଥିବା ଯାନବାହନଗୁଡ଼ିକୁ ଏକାଠି ଗତି ଓ ନିରାପତ୍ତା ବହନ କରିବା କଷ୍ଟକର ହୋଇପଡ଼ିଛି। ଜୟପୁରର ଏହି ଦୁର୍ଘଟଣାରେ ମଧ୍ୟ ସମାନ କିଛି ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ସିଏନଜି ଟ୍ରକ୍ ଥିଲା। ଏହି ଧକ୍କା ପରେ ଏକ ବିରାଟ ବିସ୍ଫୋରଣ ଘଟି ଚାରିଆଡ଼େ ନିଆଁ ବ୍ୟାପିଯାଇଥିଲା। ଖାଲି ସେତିକି ନୁହେଁ ପଛପଟୁ ଆସୁଥିବା ଗାଡିଗୁଡ଼ିକ ମଧ୍ୟ ଗୋଟିଏ ପରେ ଗୋଟିଏ ପରସ୍ପର କୁ ଧକ୍କା ଦେଇଥିଲା।
ନିଆଁକୁ ଆୟତ୍ତ କରିବା ପାଇଁ ପୁଲିସ ଓ ପ୍ରଶାସନିକ ଟିମ୍ ନିୟୋଜିତ ହୋଇଥିଲେ। ଘଟଣାସ୍ଥଳରେ ୨୦ରୁ ଅଧିକ ଦମକଳ ବାହିନୀ ମୁତୟନ ହୋଇଥିଲେ। ସେପଟେ ଏହି ଦୁର୍ଘଟଣା ଯୋଗୁଁ ଆଖପାଖ ରାସ୍ତାର ଗତିପଥ ବଦଳାଇ ଦିଆଯାଇଛି। ଦୁର୍ଘଟଣାରେ ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ଅନେକ ଟ୍ରକ୍, ଯାତ୍ରୀବାହୀ ବସ୍, ଗ୍ୟାସ୍ ଟ୍ୟାଙ୍କର, କାର୍, ପିକ୍ଅପ୍, ବାଇକ୍ ଓ ଅଟୋ ରହିଛି।
ଜୟପୁର-ଅଜମେର ଏକ୍ସପ୍ରେସୱେରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଗୁରୁତ୍ୱ ଦେଇଛନ୍ତି। ସିଏମ୍ ଭଜନ ଲାଲ ଶର୍ମା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ନେଇଛନ୍ତି। କେବଳ ଏତିକି ନୁହେଁ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଟ୍ରକ୍କୁ ଧକ୍କା ଦେଲା ସିଏନ୍ଜି-ଟ୍ରକ୍; ବିସ୍ଫୋରଣରେ ୫ ମୃତ