ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ସହିତ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଜୟପୁରର ଭାଙ୍କରୋଟା ଅଞ୍ଚଳରେ ଟ୍ରକ୍ ସହିତ ସିଏନ୍ଜି-ଟ୍ରକ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ଏକାସାଙ୍ଗରେ ବହୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହାର କାରଣ ଥିଲା ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ବଡ଼ଧରଣର ବିସ୍ଫୋରଣ। ଏହି ଅଗ୍ନିକାଣ୍ଡରେ ଅନେକ ଯାତ୍ରୀ ଯାତ୍ରା କରୁଥିବା ଆଖପାଖ ଗାଡ଼ି ମଧ୍ୟ ଜଳି ଯାଇଥିଲା। ଯାତ୍ରୀମାନେ ବସ୍ରୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇଥିଲେ। ତେବେ ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ଶୁକ୍ରବାର ଭୋର ପ୍ରାୟ ୫ଟା ବେଳେ ଡି କ୍ଲୋଥନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଗାଡ଼ିରେ ଫସି ରହିଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରାଯାଉଛି। ସିଭିଲ ଡିଫେନ୍ସ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କୁହାଯାଉଛି ଯେ ନିଆଁ ଏତେ ଭୟଙ୍କର ଭାବେ ବ୍ୟାପିଛି ଯେ ଗାଡିଗୁଡିକ ଏବେ ବି ସ୍ବାଭାବିକ ସ୍ଥିତିକୁ ଅଣାଯାଇପାରି ନାହିଁ। ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଖବର ଲେଖାଯିବା ବେଳକୁ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନାହାନ୍ତି।
ଅଧିକ ପଢ଼ନ୍ତୁ: ଆଜି ମନ୍ଦିର-କୂଅ ଦେଖିବାକୁ ଯିବେ ଏଏସ୍ଆଇ ଟିମ୍