ନୂଆଦିଲ୍ଲୀ: ପ୍ରଦୂଷଣ କମାଇବା ପାଇଁ ଦିଲ୍ଲୀ ସରକାର ସରକାରୀ କାର୍ଯ୍ୟାଳୟରେ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଅର୍ଥାତ୍ ବୁଧବାର ଅପରାହ୍ନ ୧ଟାରେ ସଚିବାଳୟରେ ଅଧିକାରୀଙ୍କ ସହ ବୈଠକ ହେବ।
ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ନିଜ ଏକ୍ସ ଆକାଉଣ୍ଟରେ ଏହା ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ଅଡ୍-ଇଭେନ୍ ନିୟମ ଲାଗୁ ହେବାର ସଙ୍କେତ ଦେଇଥିଲେ।
ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଅଧୀନରେ ଲାଗୁ ହୋଇଥିବା ସରକାରଙ୍କ ଗ୍ରାପ୍-୪ ନିୟମ ପରେ ସହରର ସମସ୍ତ ନିର୍ମାଣ ସ୍ଥଳରେ ଧୂଳି ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପୂର୍ତ୍ତ ବିଭାଗ ସମସ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି।
ସମସ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀମାନଙ୍କୁ ଧୂଳି ନିର୍ଗମନର ପ୍ରଭାବଶାଳୀ ତଦାରଖ ପାଇଁ ସେମାନଙ୍କ କାର୍ଯ୍ୟସ୍ଥଳଉପରେ ବାଧ୍ୟତାମୂଳକ ଭାବେ ନଜର ରଖିବାକୁ କୁହାଯାଇଛି। ଏହି ସମୟରେ ସମସ୍ତ ନିର୍ମାଣ ସ୍ଥଳରେ କାମ ବନ୍ଦ କରିବାକୁ କୁହାଯାଇଛି, ଧୂଳିକୁ ଏଡ଼ାଇବା ପାଇଁ ନିରନ୍ତର କାର୍ଯ୍ୟ କରିବାକୁ କୁହାଯାଇଛି।
ଏଥିପାଇଁ ନିର୍ମାଣ ସ୍ଥଳରେ ଲଗାଯାଇଥିବା ଆଣ୍ଟି ସ୍ମୋଗ୍ ଗନ୍ ଚଳାଇବା ସହ ସେହି ସ୍ଥାନରେ ଯେପରି ଧୂଳି ନ ପଡ଼ିବ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଇଞ୍ଜିନିୟରମାନଙ୍କୁ ଯାଞ୍ଚର ବିବରଣୀ ଦିଲ୍ଲୀ ଇ-ମନିଟରିଂ ମୋବାଇଲ୍ ଆପ୍ରେ ଅପଲୋଡ୍ କରିବାକୁ ପଡ଼ିବ।
ଧୂଳି ପ୍ରଦୂଷଣ ପାଇଁ ଦାୟୀ ପ୍ରତ୍ୟେକ କାରଣର ତଦନ୍ତ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଇଞ୍ଜିନିୟରମାନଙ୍କୁ ପଡ଼ିବ। ସମସ୍ତ ନିର୍ମାଣ ସ୍ଥଳରେ କଣିକା ପଦାର୍ଥ ଏବଂ ପ୍ରଦୂଷଣ ସ୍ତର ଉପରେ ନଜର ରଖିବା ସହ ପ୍ରତିଦିନ ସେନ୍ସର ଡାଟା ନିରୀକ୍ଷଣ କରିବା ପାଇଁ ସେନ୍ସର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପିଡବ୍ଲ୍ୟୁଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ଯନ୍ତ୍ରୀମାନେ ଯାଞ୍ଚ କରିବା ଏବଂ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ନିର୍ଦ୍ଦେଶ ଅନୁଯାୟୀ ଯାଞ୍ଚ ନ କଲେ ସଂପୃକ୍ତ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯିବ।