ନୂଆଦିଲ୍ଲୀ: ଜଳ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମେରିଟାଇମ୍ ଭିଜନ-୨୦୩୦ ଉପରେ କାମ କରୁଥିବା ମୋଦୀ ସରକାର ବିଶ୍ୱାସ କରନ୍ତି ଯେ ଜଳପଥ ଭାରତର ଅର୍ଥନୈତିକ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କଣ୍ଟେନର ପରିଚାଳନା କ୍ଷମତାକୁ ଦ୍ୱିଗୁଣିତ କରି ୪୦ ନିୟୁତ ଟିଇୟୁ (୨୦ ଫୁଟ ସମକକ୍ଷ ୟୁନିଟ୍) କରାଯିବ, ଯାହା କି ୨୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବ।
କେନ୍ଦ୍ର ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସରକାରଙ୍କ ୧୦୦ ଦିନର ସଫଳତା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେରିଟାଇମ୍ ଭିଜନ-୨୦୩୦ ଉପରେ କାର୍ଯ୍ୟ କରୁଛି। ଏହା ଅଧୀନରେ ବର୍ତ୍ତମାନ ସୁଦ୍ଧା ଭିତ୍ତିଭୂମିକୁ ବହୁତ ସୁଦୃଢ଼ କରାଯାଇଛି।
ଜାହାଜ ନିର୍ମାଣ ଓ ମରାମତି କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଣୀ ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଗୁଜରାଟରେ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର ପ୍ରତିଷ୍ଠା କରାଯାଉଛି। ସେହିଭଳି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଣୀ ହୋଇପାରିବ। ଏଥିପାଇଁ ହାଇଡ୍ରୋଜେନ୍ ଉତ୍ପାଦନ ହବ୍ ବିକଶିତ କରିବା ପାଇଁ କଣ୍ଡଲା ଓ ଭିଓସି ବନ୍ଦରକୁ ୩୯୦୦ ଏକର ଜମି ଆବଣ୍ଟନ କରାଯାଉଛି।
ବ୍ଲୁ ଇକୋନୋମି ଅଭିବୃଦ୍ଧି ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ନଭେମ୍ବରରେ ମୁମ୍ବାଇରେ ମହାସାଗର ସମ୍ମିଳନୀ 'ସାଗରମନ୍ଥନ' ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ସମଗ୍ର ବିଶ୍ୱର ଜଳ ପରିବହନ ଶିଳ୍ପ ସହ ଜଡ଼ିତ ନେତାମାନେ ଅଂଶଗ୍ରହଣ କରିବେ। ମନ୍ତ୍ରଣାଳୟ ସଚିବ ଟିକେ ରାମଚନ୍ଦ୍ରନ କହିଛନ୍ତି ଯେ ସରକାର ଏକ ସାମୁଦ୍ରିକ ବିକାଶ ପାଣ୍ଠି ଗଠନ କରିବାକୁ ଯାଉଛନ୍ତି। ଏହା ଜରିଆରେ ଜାହାଜ ନିର୍ମାଣ, ସବୁଜ ଶକ୍ତି ଜାହାଜ ଇତ୍ୟାଦିକୁ ପ୍ରୋତ୍ସାହିତ କରିବା ପାଇଁ ଘରୋଇ କ୍ଷେତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ଏତଦ୍ ବ୍ୟତୀତ ସରକାର ଏଭଳି ଅନେକ ଯୋଜନା ଉପରେ ବିଚାର କରୁଛନ୍ତି। ଗ୍ରୀନ୍ ଫେରି ସ୍କିମ୍ ଆଭ୍ୟନ୍ତରୀଣ ଜାହାଜ ପାଇଁ ସବୁଜ ଇନ୍ଧନ କୁ ପ୍ରୋତ୍ସାହିତ କରିବ ଏବଂ କୋଚିନ୍ ଶିପୟାର୍ଡରେ ହାଇଡ୍ରୋଜେନ୍ ଚାଳିତ ଜାହାଜ ନିର୍ମାଣ କରାଯିବ।
ଏହାବ୍ୟତୀତ ବଢୁଥିବା ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରୁଜ୍ ପର୍ଯ୍ୟଟନକୁ ସମର୍ଥନ କରିବା ପାଇଁ, ଗୋଆର ମୋରମୁଗାଓ ପୋର୍ଟ କ୍ରୁଜ୍ ଟର୍ମିନାଲ କାର୍ଯ୍ୟକ୍ଷମ ହେବା ସହିତ ଭାରତକୁ ଏକ ପ୍ରମୁଖ କ୍ରୁଜିଂ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରିବା ପାଇଁ କ୍ରୁଜ ଇଣ୍ଡିଆ ମିଶନ ଆରମ୍ଭ କରାଯିବ।
ଅଧିକ ପଢ଼ନ୍ତୁ: ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ବଡ ଟୁଇଷ୍ଟ, ଭଦ୍ରକରେ ଜୀବନ ହାରିଲା ଅଭିଯୁକ୍ତ