ଭଦ୍ରକ: ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଙ୍ଗାଲୁରୁର ଯୁବତୀ ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ବଡ ଟୁଇଷ୍ଟ ଆସିଛି । ଯେଉଁ ସନ୍ଦିଗ୍ଧ ଅଭିଯୁକ୍ତକୁ ବେଙ୍ଗାଲୁରୁ ପୋଲିସ ଗତ ୪/୫ ଦିନ ଧରି ସନ୍ଧାନରେ ଥିଲା ଉକ୍ତ ଅଭିଯୁକ୍ତ ଆତ୍ମହତ୍ୟା କରିଛି । ସେ ପୁଣି ଭଦ୍ରକ ଜିଲ୍ଲାରେ । ଘଟଣାର ଅଭିଯୁକ୍ତ କୁହାଯାଉଥିବା ମୁ୍କ୍ତିରଞ୍ଜନ ରାୟ ବୁଧବାର ଭଦ୍ରକର କୁଳେଇପଦା ଗାଁ ଶ୍ମଶାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ପୋଲିସ ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ପାଇଛି, ଯେଉଁଥିରେ ହତ୍ୟାକାଣ୍ଡ ବିଷୟରେ ଉଲ୍ଲେଖ ରହିଛି । ବେଙ୍ଗାଲୁରୁ ପୋଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ ମଧ୍ୟ କରାଯାଇଛି । କର୍ଣ୍ଣାଟକ ପୋଲିସ ଗୁରୁବାର ଭଦ୍ରକ ପହଞ୍ଚି ଅଧିକ ତଦନ୍ତ କରିବେ ବୋଲି ଧାମନଗର ଏସଡିପିଓ ସୂଚନା ଦେଇଛନ୍ତି ।
ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ଶବକୁ ୫୯ ଖଣ୍ଡ କରି ଫ୍ରିଜରେ ରଖିଥିଲା । ଏହି ଘଟଣା କେବଳ କର୍ଣ୍ଣାଟକ ନୁହେଁ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ପ୍ରଥମେ ମହାଲକ୍ଷ୍ମ ୀଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ଅଶରଫ ଉପରେ ସନ୍ଦେହ କରାଯାଉଥିଲା । କିନ୍ତୁ ତଦନ୍ତ ଅଗ୍ରଗତି ହେବା ପରେ ମହାଲକ୍ଷ୍ମୀଙ୍କ ସହକର୍ମୀ କୁହାଯାଉଥିବା ମୁକ୍ତିରଞ୍ଜନ ରାୟ ପୋଲିସର ସନ୍ଦେହ ଘେରକୁ ଆସିଥିଲା । ମୁକ୍ତିରଞ୍ଜନ ଘଟଣା ଘଟାଇବା ପରେ ଭୁବନେଶ୍ୱର ଦେଇ ଓଡିଶା କିମ୍ବା ପଶ୍ଚିମବଙ୍ଗରେ ଛପିଥିବା ଆଶଙ୍କା ପ୍ରକାଶ କରିଥିଲା ବେଙ୍ଗାଲୁରୁ ପୋଲିସ । ସେହି ହିସାବରେ ବେଙ୍ଗାଲୁରୁର ଏକ ପୋଲିସ ଟିମ୍ ଓଡିଶା ଓ ପଶ୍ଚିମବଙ୍ଗରେ ତନାଘନା ଚଲାଇଥିବା ବେଳେ କିଛି ଦିନ ପୂର୍ବେ ଭଦ୍ରକ ମଧ୍ୟ ଆସିଥିଲେ ।
ତେବେ ବୁଧବାର କୁଳେଇପଦା ଶ୍ମଶାନ ନିକଟ ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପ୍ରଥମେ ଭଦ୍ରକର ଧୁଷୁରୀ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ ଯୁବକଙ୍କ ପରିଚୟ ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ ବୋଲି ପୋଲିସ ଜାଣିବାକୁ ପାଇଥିଲା । ସୂଚନା ଅନୁଯାୟୀ, ସେ ମଙ୍ଗଳବାର ରାତିରେ ବେଙ୍ଗାଲୁରୁରୁ ନିଜ ଘରକୁ ଆସିଥିଲେ । ତେବେ ବୁଧବାର ଭୋର ୪ଟାରେ ଭଦ୍ରକ ଯିବା କଥା କହି ଘରୁ ବାହାରିଥିଲେ । ହେଲେ ସକାଳେ ତାଙ୍କୁ କୁଳେଇପଦା ଶ୍ମଶାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ପୋଲିସ ସ୍କୁଟି ସହ ଏକ ଲ୍ୟାପଟପ୍ ବ୍ୟାଗ ଜବତ କରିଛି ।
ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ସୁଇସାଇଡରେ ମୁକ୍ତିରଞ୍ଜନ ଲେଖିଛନ୍ତି । ତେବେ ଏଥିରେ ଆଉ କଣ ଲେଖା ହୋଇଛି ଏବଂ ଘଟଣାର ଅଗ୍ରଗତି ବିଷୟରେ ପୋଲିସ କିଛି କହିବାକୁ ମନା କରି ଦେଇଛନ୍ତି । ସମସ୍ତ ତଥ୍ୟ ପ୍ରମାଣ ବେଙ୍ଗାଲୁରୁ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଭଦ୍ରକ ପୋଲିସ କହିଛି । ବେଙ୍ଗାଲୁରୁ ଏକ ପୋଲିସ ଟିମ୍ ଓଡିଶା ଅଭିମୁଖେ ବାହାରି ସାରିଥିବା ଜଣା ଯାଇଛି ।
ବୁଧବାର ବେଙ୍ଗାଲୁରୁ ପୋଲିସ ମହାଲକ୍ଷ୍ମୀଙ୍କ ସହ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟ ସନ୍ଦିଗ୍ଧ ବିବେଚନା କରିଥିଲା । ଏହି ସନ୍ଦିଗ୍ଧଙ୍କ ନାଁ ମୁକ୍ତି ବୋଲି ଜାତୀୟ ଗଣମାଧ୍ୟମରରେ ଖବର ପ୍ରକାଶ ପାଇଥିଲା । ଉଭୟ ମିଶି ଏକାଠି କାମ କରୁଥିଲେ । ତେବେ ମୁକ୍ତରଞ୍ଜନି ଅନ୍ୟ କାହା ସହ ମହାଲକ୍ଷ୍ମୀଙ୍କ ମିଳାମିଶାକୁ ବିରୋଧ କରୁଥିଲେ । ପୋଲିସ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନ ଥିଲା । ମୁକ୍ତିର ଫୋନ ସୁଇଚ୍ ଅଫ ରହିବାରୁ ତା ପ୍ରତି ପୋଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲ।। ସେପ୍ଟେମ୍ବର ୨୩ ତାରିଖରେ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି ପରମେଶ୍ୱର କହିଥିଲେ ଯେ, ମାମଲାର ମୁଖ୍ୟ ସନ୍ଦିଗ୍ଧ ଓଡିଶାର । କିନ୍ତୁ ଉକ୍ତ ବ୍ୟକ୍ତି ବେଙ୍ଗାଲୁରୁରେ ରହୁଥିଲେ ।